ମହୀଶୂର: ମହୀଶୂର ଆକାଶରେ ଏକ ଅଦ୍ଭୁତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ରାତ୍ରିର ଅନ୍ଧକାରରେ ୩,୪୭୩ଟି ଡ୍ରୋନ୍ ଏକାଠି ହୋଇ ଏକ ବିଶାଳକାୟ ନୃତ୍ୟରତ ମୟୂରର ଆକୃତି ସୃଷ୍ଟି କରିଛନ୍ତି। ଏହି ଚିତ୍ତାକର୍ଷକ ପ୍ରଦର୍ଶନ ଏବେ ଗିନିଜ୍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନ ପାଇଛି। ଗତ ଅକ୍ଟୋବର ୧୮ ତାରିଖରେ ମହୀଶୂର ଦଶହରା ଉତ୍ସବ ଅବସରରେ ବନ୍ନିମଣ୍ଟପସ୍ଥିତ ଟର୍ଚ୍ଚଲାଇଟ୍ ପ୍ୟାରେଡ୍ ଗ୍ରାଉଣ୍ଡଠାରେ ଏହି ରେକର୍ଡ-ବ୍ରେକିଂ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ଏକାଧିକ ରୋଟର୍ ଥିବା ଡ୍ରୋନ୍ ବ୍ୟବହାର କରି ଆକାଶରେ ପକ୍ଷୀର ସର୍ବବୃହତ୍ ଆକୃତି ପ୍ରଦର୍ଶନ ପାଇଁ ଏହାକୁ ଗିନିଜ୍ ୱାର୍ଲ୍ଡ ରେକର୍ଡ଼ର ମାନ୍ୟତା ମିଳିଛି। ଭାରତର ଜାତୀୟ ପକ୍ଷୀ ମୟୂରର ଏହି ଆଲୋକିତ ପରଗୁଡ଼ିକ ଆକାଶରେ ଉଡ଼ୁଥିବା ଭଳି ପ୍ରତୀୟମାନ ହୋଇଥିଲା, ଯାହା ଦର୍ଶକଙ୍କୁ ବିମୋହିତ କରିଥିଲା।
ପ୍ରଯୁକ୍ତିବିଦ୍ୟା ଓ ସଂସ୍କୃତିର ଅପୂର୍ବ ମିଳନ
ଏହି କାର୍ଯ୍ୟକ୍ରମଟି ଚାମୁଣ୍ଡେଶ୍ୱରୀ ଇଲେକ୍ଟ୍ରିସିଟି ସପ୍ଲାଏ କର୍ପୋରେସନ୍ ଲିମିଟେଡ୍ (CESC) ଦ୍ୱାରା ଆୟୋଜିତ ହୋଇଥିବା ବେଳେ ଡ୍ରୋନ୍ ପ୍ରଦର୍ଶନର ଦାୟିତ୍ୱ ତୁଲାଇଥିଲା ଆଇଆଇଟି-ଦିଲ୍ଲୀ (IIT Delhi) ଦ୍ୱାରା ପରିଚାଳିତ କମ୍ପାନୀ ବଟ୍ଲ୍ୟାବ୍ ଡାଇନାମିକ୍ସ (BotLab Dynamics)। କେବଳ ମୟୂର ନୁହେଁ, ଏହି ଡ୍ରୋନ୍ ସୋ’ରେ ପ୍ରଜାପତି, ସିଂହ, କର୍ଣ୍ଣାଟକର ମାନଚିତ୍ର, ଦେବୀ ଚାମୁଣ୍ଡେଶ୍ୱରୀ, ଭଗବାନ ଶିବ, ନନ୍ଦୀ ଏବଂ ତ୍ରିରଙ୍ଗା ଧରିଥିବା ଜଣେ ସୈନିକଙ୍କ ଚିତ୍ର ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଏହି ସମସ୍ତ ଚିତ୍ର ଭାରତୀୟ ସଂସ୍କୃତି ଏବଂ କର୍ଣ୍ଣାଟକର ପରମ୍ପରା ସହିତ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଏକ ସୁନ୍ଦର ମିଶ୍ରଣ ଥିଲା।
ବଟ୍ଲ୍ୟାବ୍ ଡାଇନାମିକ୍ସର ଲଗାତାର ସଫଳତା
ବଟ୍ଲ୍ୟାବ୍ ଡାଇନାମିକ୍ସ ୨୦୨୨ ମସିହାରୁ ଲଗାତାର ଭାବେ ମହୀଶୂର ଦଶହରାରେ ଡ୍ରୋନ୍ ସୋ’ ପରିଚାଳନା କରିଆସୁଛି। ଏହା ପୂର୍ବରୁ କମ୍ପାନୀ ୨,୯୮୩ଟି ଡ୍ରୋନ୍ ସାହାଯ୍ୟରେ ଏକ ଡେଉଁଥିବା ବାଘର ଆକୃତି କରି ଗିନିଜ୍ ରେକର୍ଡ ସୃଷ୍ଟି କରିଥିଲା। ମହୀଶୂର ଦଶହରା ଭଳି ପାରମ୍ପରିକ ଉତ୍ସବରେ ଏଭଳି ଅତ୍ୟାଧୁନିକ ଡ୍ରୋନ୍ ଟେକ୍ନୋଲୋଜିର ବ୍ୟବହାର ଦର୍ଶକଙ୍କ ପାଇଁ ଏକ ନୂତନ ଅନୁଭୂତି ସୃଷ୍ଟି କରିଛି।