ଓଡ଼ିଶାରେ ୟୁନିଫର୍ମଡ୍ ସର୍ଭିସେସ୍ ନିଯୁକ୍ତି ୨୦୨୬: ୭,୨୬୮ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କଲା OUSSSC

ଭୁବନେଶ୍ୱର: ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର। ଓଡ଼ିଶା ପୁଲିସ ଓ ଅଗ୍ନିଶମ ବିଭାଗରେ ଚାକିରି କରିବାକୁ ଚାହୁଁଥିବା ଯୁବକ ଯୁବତୀଙ୍କ ପାଇଁ ବଡ଼ ଘୋଷଣା। ରାଜ୍ୟର ୭୨୬୮ଟି ପୁଲିସ ଓ ଅଗ୍ନିଶମ ବିଭାଗର ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଓଡ଼ିଶା ୟୁନିଫର୍ମ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (OUSSSC) ପକ୍ଷରୁ ‘କମ୍ବାଇଣ୍ଡ୍ ୟୁନିଫର୍ମ ସର୍ଭିସେସ୍ (ବିଲୋ ଗ୍ରାଜୁଏଟ୍ ଲେଭଲ୍) ଏକ୍ସାମିନେସନ୍, ୨୦୨୬’ ପାଇଁ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଶାଳ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ବିଭାଗରେ ମୋଟ ୭,୨୬୮ ଟି ପଦବୀ ପୂରଣ କରାଯିବ ବୋଲି କମିଶନ୍ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।

କେଉଁ ସବୁ ପଦବୀରେ ହେବ ନିଯୁକ୍ତି?
ଏହି ନିଯୁକ୍ତି ଅଭିଯାନ ଜରିଆରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ। ସେଗୁଡ଼ିକ ମଧ୍ୟରେ କନେଷ୍ଟବଳ (ସିଭିଲ୍), କନେଷ୍ଟବଳ (କମ୍ୟୁନିକେସନ୍), କନେଷ୍ଟବଳ (OISF), ଅଗ୍ନିଶମ କର୍ମଚାରୀ, ଫାୟାରଫାଇଟିଂ ଡ୍ରାଇଭର, ଡ୍ରାଇଭର PMT ଏବଂ ଟ୍ରାଫିକ୍ କନେଷ୍ଟବଳ ଭଳି ପଦବୀ ଅନ୍ତର୍ଭୁକ୍ତ ରହିଛି।

ଆବେଦନ ପ୍ରକ୍ରିୟା ଓ ୱେବସାଇଟ୍
ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ousssc.odisha.gov.in ପରିଦର୍ଶନ କରିବାକୁ ଆୟୋଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ୱେବସାଇଟରେ ଉପଲବ୍ଧ ଖାଲି ପଦବୀର ସଂଖ୍ୟା, ଯୋଗ୍ୟତା ମାନଦଣ୍ଡ, ପରୀକ୍ଷା ପ୍ରକ୍ରିୟା ଏବଂ ଅନ୍‌ଲାଇନ୍ ପଞ୍ଜୀକରଣ ତଥା ଆବେଦନ ଦାଖଲର ସମ୍ପୂର୍ଣ୍ଣ ସୂଚୀ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପଲବ୍ଧ ହେବ।

ଚୟନ ପ୍ରକ୍ରିୟା
ପୂର୍ବ ଓଡ଼ିଶା ପୋଲିସ ଏବଂ ଅଗ୍ନିଶମ ସେବା ନିଯୁକ୍ତି ଢାଞ୍ଚାରେ ଏହି ୟୁନିଫର୍ମ ପଦବୀ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟତଃ ଶାରୀରିକ ମାପଚୁପ, ଦକ୍ଷତା ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ସାମିଲ ରହିବ ବୋଲି ଆଶା କରାଯାଉଛି।