ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ଅକ୍ଟୋବର ୨୮ ତାରିଖ ସକାଳ ସୁଦ୍ଧା ଏହି ଘୂର୍ଣ୍ଣିବଳୟ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ତେଣୁ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଅକ୍ଟୋବର ୨୪ ସକାଳ ସୁଦ୍ଧା ନିରାପଦରେ ଉପକୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି।
ଆଇଏମଡିର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଆଗାମୀ ଦିନରେ ସମୁଦ୍ରର ସ୍ଥିତି ଅଧିକ ଖରାପ ହେବାର ଆଶଙ୍କା ରହିଛି। ଅକ୍ଟୋବର ୨୩ ତାରିଖରେ ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଶାନ୍ତ ରହିବା ସହ ଅକ୍ଟୋବର ୨୪ ବେଳକୁ ଏହା ଅଧିକ ଭୟଙ୍କର ରୂପ ନେଇପାରେ। ସେହିପରି ଅକ୍ଟୋବର ୨୫ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଅକ୍ଟୋବର ୨୬ ରୁ ୨୮ ଯାଏଁ ପଶ୍ଚିମ-କେନ୍ଦ୍ରୀୟ, ପୂର୍ବ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଉଚ୍ଚ ଢେଉ ଉଠିବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗର ସୂଚନା ମୁତାବକ, ଅକ୍ଟୋବର ୨୭ ଏବଂ ୨୮ ତାରିଖରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ। ତେଣୁ ଅକ୍ଟୋବର ୨୩ ସନ୍ଧ୍ୟାରୁ ଅକ୍ଟୋବର ୨୬ ପର୍ଯ୍ୟନ୍ତ ପୂର୍ବ-କେନ୍ଦ୍ରୀୟ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ନଯିବା ପାଇଁ ବାରଣ କରାଯାଇଛି। ଏହା ସହିତ ଅକ୍ଟୋବର ୨୬ ରୁ ୨୮ ପର୍ଯ୍ୟନ୍ତ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଅଞ୍ଚଳରେ ମାଛ ଧରା କାର୍ଯ୍ୟରୁ ସମ୍ପୂର୍ଣ୍ଣ ନିବୃତ୍ତ ରହିବାକୁ କୁହାଯାଇଛି। ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଏଡ଼ାଇବା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।