କାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ: କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି, ଜାଣନ୍ତୁ କେଉଁ ରାସ୍ତା ରହିବ ବନ୍ଦ…
ଭୁବନେଶ୍ୱର: ଆସନ୍ତା କାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମୋଦୀଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱରରେ ଟ୍ରାଫିକ୍ ଆଡଭାଇଜାରୀ ଜାରି କରାଯାଇଛି। ରବିବାର ଦିନ ପ୍ରଧାନମନ୍ତ୍ରୀ ଖୋର୍ଦ୍ଧାରେ ଥିବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ଏକ ଡାଟା ସେଣ୍ଟର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଭିଆଇପି ଏବଂ ଭିଭିଆଇପିମାନଙ୍କ ସୁରକ୍ଷା ତଥା ସାଧାରଣ ଲୋକଙ୍କ ସୁବିଧା ପାଇଁ ଏହି କଟକଣା ଲାଗୁ କରାଯାଇଛି।
ଏହି ସବୁ ରାସ୍ତା ରହିବ ବନ୍ଦ
ଟ୍ରାଫିକ୍ ନିର୍ଦ୍ଦେଶିକା ଅନୁଯାୟୀ, ରବିବାର ସନ୍ଧ୍ୟା ୫.୪୦ ରୁ ୬.୪୦ ପର୍ଯ୍ୟନ୍ତ ଆରବିଆଇ ଡାଟା ସେଣ୍ଟରରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ ହେବ। ଏହି ସମୟ ମଧ୍ୟରେ ଇନଫୋଭ୍ୟାଲି ଛକ, ତଳଖେତା ଛକ, ବାଟଭୁଆସୁଣୀ ଛକ, ଏନଏଚ-୧୬ ରୁ ଜୟଦେବ ବିହାର ଛକ, ବେହେରା ସାହି ଛକ, ଶାସ୍ତ୍ରୀନଗର ଛକ, ୧୨୦ ବାଟାଲିୟନ ଛକ, ପାୱାର ହାଉସ ଛକ, ଲୋକଭବନ ଗୋଲେଇ, ଏଜି ଛକ, ହସ୍ପିଟାଲ ଛକ, ସୁର କମ୍ପାନୀ ଛକ ଏବଂ ବିମାନବନ୍ଦର ଯାଏଁ ରାସ୍ତା ବନ୍ଦ ରହିବ। ଯାତ୍ରୀମାନଙ୍କୁ ଏହି ସମୟରେ ଉକ୍ତ ରାସ୍ତା ଦେଇ ନଯିବାକୁ ପରାମର୍ଶ ଦିଆଯାଇଛି।
ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଅପିଲ୍
ସାଧାରଣ ଜନତାଙ୍କୁ ଯାତ୍ରା ସମୟରେ ଅସୁବିଧାରୁ ବର୍ତ୍ତିବା ପାଇଁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ କମିଶନରେଟ୍ ପୋଲିସ ନିବେଦନ କରିଛି। ତେବେ ଜରୁରୀକାଳୀନ ଯାନ ଯଥା ଆମ୍ବୁଲାନ୍ସ, ଅଗ୍ନିଶମ ସେବା ଏବଂ ପୋଲିସ ଗାଡି ପାଇଁ ଏହି କଟକଣା ଲାଗୁ ହେବ ନାହିଁ ବୋଲି ପୋଲିସ କମିଶନର ଡକ୍ଟର ସୁରେଶ ଦେବ ଦତ୍ତ ସିଂହ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଜଟଣୀ ନିକଟ ଇନଫୋ ଭ୍ୟାଲି-୨ ଠାରେ ପ୍ରାୟ ୧୬୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆରବିଆଇର ଏହି ନୂତନ ଡାଟା ସେଣ୍ଟର କେନ୍ଦ୍ରୀୟ ବ୍ୟାଙ୍କର ଡାଟା ପରିଚାଳନା ଏବଂ ସାଇବର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ।