ଛାଡ଼ଖାଇ ପାଇଁ ରାଜଧାନୀରେ ପ୍ରବଳ ଭିଡ଼: ଆମିଷ ବଜାରରେ ଗ୍ରାହକଙ୍କ ଲମ୍ବା ଧାଡ଼ି

ଭୁବନେଶ୍ୱର: କାର୍ତ୍ତିକ ମାସର ନିଷ୍ଠା ଓ ବ୍ରତ ଶେଷ ହେବା ପରେ ଆଜି ରାଜ୍ୟବ୍ୟାପୀ ଛାଡ଼ଖାଇ ପାଳନ କରାଯାଉଛି। ଏହି ଅବସରରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମାଛ ଓ ମାଂସ ବଜାରରେ ଗ୍ରାହକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଦୀର୍ଘ ଏକ ମାସ ଧରି ଆମିଷରୁ ଦୂରେଇ ରହିବା ପରେ ଆଜି ପୁଣି ଥରେ ସ୍ୱାଦିଷ୍ଟ ଆମିଷ ବ୍ୟଞ୍ଜନର ମଜା ନେବା ପାଇଁ ଲୋକେ ବଜାରରେ ଭିଡ଼ ଜମାଇଛନ୍ତି।

ସକାଳୁ ସକାଳୁ ସହରର ପ୍ରମୁଖ ବଜାର ଯଥା ୟୁନିଟ-୪, କୋଚିଲାଇ ହାଟ, ଝାରପଡ଼ା, ବାଲକାଟି ଏବଂ ପଟିଆ ଅଞ୍ଚଳରେ ଥିବା ଆମିଷ ଦୋକାନଗୁଡ଼ିକରେ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ବିଶେଷ କରି ମାଛ ବଜାରରେ ରୋହି, ଭାକୁର, ଚିଙ୍ଗୁଡ଼ି, କଙ୍କଡ଼ା ଏବଂ ବିଭିନ୍ନ ପ୍ରକାରର ଛୋଟ ମାଛ କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖାଦେଇଛି।

ସେହିପରି ମାଂସ ଦୋକାନଗୁଡ଼ିକରେ ମଧ୍ୟ ବେଶ୍ ଗହଳି ଦେଖିବାକୁ ମିଳିଛି। ଲୋକେ ନିଜ ପସନ୍ଦର ମଟନ, ଚିକେନ୍ ଏବଂ ଅଣ୍ଡା କିଣିବା ପାଇଁ ଭୋର ସମୟରୁ ଲାଇନରେ ଛିଡ଼ା ହୋଇଥିବା ଦେଖାଯାଇଛି। ବ୍ୟବସାୟୀମାନେ ମଧ୍ୟ ଗ୍ରାହକଙ୍କ ଚାହିଦାକୁ ଦୃଷ୍ରେ ରଖି ପର୍ଯ୍ୟାପ୍ତ ପରିମାଣର ଆମିଷ ସାମଗ୍ରୀ ମହଜୁଦ ରଖିଛନ୍ତି।

ଓଡ଼ିଶାର ପରମ୍ପରା ଅନୁଯାୟୀ, କାର୍ତ୍ତିକ ମାସରେ ଲୋକମାନେ ଆମିଷ ଭୋଜନ ତ୍ୟାଗ କରି ସାତ୍ତ୍ୱିକ ଆହାର ଗ୍ରହଣ କରିଥାନ୍ତି। କାର୍ତ୍ତିକ ପୂର୍ଣ୍ଣିମାର ପରଦିନ ଅର୍ଥାତ ଛାଡ଼ଖାଇ ଦିନ ପୁଣି ଥରେ ଆମିଷ ଖାଇବା ଆରମ୍ଭ କରାଯାଏ। ଏହି କାରଣରୁ ଆଜି ସମଗ୍ର ରାଜଧାନୀରେ ଏକ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।