ନୂଆଦିଲ୍ଲୀ: ପୁଏର୍ତ୍ତୋ ରିକୋର ଜେନିଫର ବାରେଟୋ ପିନ୍ଧିଲେ ମିସ୍ ୟୁନିଭର୍ସ ୨୦୨୬ ମୁକୁଟ । ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ପୁଏର୍ତ୍ତୋ ରିକୋର ୨୭ ବର୍ଷୀୟା ଜେନିଫର୍ ବାରେଟୋଙ୍କୁ ମିସ୍ ୟୁନିଭର୍ସ ୨୦୨୬ ଭାବେ ମନୋନୀତ କରାଯାଇଛି। ନଭେମ୍ବର ୨୪ ରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଜେନିଫର୍ ଏହି ସମ୍ମାନଜନକ ଟାଇଟଲ୍ ଜିତିବାରେ ବିଶ୍ୱର ପ୍ରଥମ ମା’ ହେବାର ଗୌରବ ଅର୍ଜନ କରିଛନ୍ତି।
ପୁଏର୍ତ୍ତୋ ରିକୋର ହୋସେ ମିଗୁଏଲ୍ ଅଗ୍ରେଲୋଟ୍ କୋଲିସିୟମରେ ଆୟୋଜିତ ଏହି ୭୫ତମ ହୀରକ ଜୟନ୍ତୀ ସଂସ୍କରଣରେ ପୂର୍ବତନ ମିସ୍ ୟୁନିଭର୍ସ ଫାତିମା ବୋଶ୍ ବିଜୟିନୀ ଜେନିଫର୍ଙ୍କୁ ମୁକୁଟ ପିନ୍ଧାଇଥିଲେ। ଏହା ପୁଏର୍ତ୍ତୋ ରିକୋ ପାଇଁ ଷଷ୍ଠ ମିସ୍ ୟୁନିଭର୍ସ ବିଜୟ ଏବଂ ୨୦୦୧ ପରେ ନିଜ ମାଟିରେ ଏହା ପ୍ରଥମ ସଫଳତା। ଜେନିଫର୍ ବାରେଟୋ ଜଣେ ସଫଳ ମହିଳା ହେବା ସହ ପେନେଲୋପି ନାମକ ଜଣେ କନ୍ୟା ସନ୍ତାନର ମା’ ମଧ୍ୟ।
ଜେନିଫର୍ କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ, ବରଂ ନିଜର ଶିକ୍ଷା ଓ ସମାଜସେବା ପାଇଁ ମଧ୍ୟ ପରିଚିତ। ସେ ମନୋବିଜ୍ଞାନ ଓ ସମାଜସେବାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସେ ଆମେରିକୀୟ ସେନାର ପରିବାର ଓକିଲାତି କାର୍ଯ୍ୟକ୍ରମରେ ସଂକଟ ପ୍ରଶମନ ବିଶେଷଜ୍ଞ ଭାବେ କାର୍ଯ୍ୟ କରିଛନ୍ତି। ଘରୋଇ ହିଂସା, ଶିଶୁ ସୁରକ୍ଷା ଏବଂ ଆତ୍ମହତ୍ୟା ନିବାରଣ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ସେ କୁହନ୍ତି ଯେ, ଜଣେ ସୌନ୍ଦର୍ଯ୍ୟ ରାଣୀ ହେବା ଏବଂ ଜଣେ ସମାଜସେବୀ ହେବା ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ, ଉଭୟ ହିଁ ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରନ୍ତି।
ପ୍ରତିଯୋଗିତାର ଶେଷ ପର୍ଯ୍ୟାୟରେ ଜେନିଫର୍ଙ୍କୁ ପଚରାଯାଇଥିଲା ଯେ, ଆଜିର ସମୟରେ ଜଣେ ନେତାଙ୍କ ପାଇଁ କେଉଁ ଗୁଣଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ? ଏହାର ଉତ୍ତରରେ ସେ “ବୃତ୍ତିଗତ ସହାନୁଭୂତି” (Professional Empathy) ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଯେ ଜଣେ ନେତାଙ୍କୁ ନିଜର ମୂଲ୍ୟବୋଧ ପାଇଁ ଛିଡା ହେବା ସହ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବା ଉଚିତ।
ଏହି ପ୍ରତିଯୋଗିତାରେ ଡୋମିନିକାନ୍ ରିପବ୍ଲିକ୍ ର ମେଲିସା ନୁନେଜ୍ ପ୍ରଥମ ରନର୍ସ ଅପ୍ ଏବଂ ଭେନେଜୁଏଲାର କ୍ଲାରା ଭେଗାସ୍ ଦ୍ୱିତୀୟ ରନର୍ସ ଅପ୍ ଘୋଷିତ ହୋଇଥିଲେ। ମିସ୍ ୟୁନିଭର୍ସ ସଂସ୍ଥା ୨୦୨୩ରେ ବିବାହିତ ମହିଳା ଓ ମା’ମାନଙ୍କୁ ଅଂଶଗ୍ରହଣ ପାଇଁ ଅନୁମତି ଦେବା ପରେ ଜେନିଫର୍ଙ୍କ ଏହି ବିଜୟ ବିଶ୍ୱର ଅଗଣିତ ମହିଳାଙ୍କ ପାଇଁ ପ୍ରେରଣା ସାଜିଛି।