ବିସଲେରି ପାନୀୟ ଜଳ ନମୁନା ‘ଅସୁରକ୍ଷିତ’: FSSAI ର ରିପୋର୍ଟ ପରେ ବଢିଲା ଚିନ୍ତା, ଜାଣନ୍ତୁ ଏହାର ସ୍ୱାସ୍ଥ୍ୟ ପ୍ରଭାବ

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ପ୍ୟାକେଜ୍ ପାନୀୟ ଜଳ ବ୍ରାଣ୍ଡ ବିସଲେରି (Bisleri) ର ଏକ ନମୁନାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ପକ୍ଷରୁ ‘ଅସୁରକ୍ଷିତ’ ଘୋଷଣା କରାଯାଇଛି। ଏହି ରିପୋର୍ଟ ପରେ ପ୍ରାଧିକରଣ ବିସଲେରି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ୍ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାନୀୟ ଜଳର ଏହି ନମୁନାରେ ମାରାତ୍ମକ ରାସାୟନିକ ପଦାର୍ଥ ରହିଥିବା ପରୀକ୍ଷାରୁ ଜଣାପଡିଛି।

FSSAI ର ପ୍ରାଥମିକ ପରୀକ୍ଷାରେ ବିସଲେରି ପାଣିରେ ବ୍ରୋମେଟ (Bromate) ର ପରିମାଣ ନିର୍ଦ୍ଧାରିତ ସୀମାଠାରୁ ଅଧିକ ରହିଥିବା ଦେଖାଯାଇଥିଲା। କମ୍ପାନୀ ଏହି ରିପୋର୍ଟକୁ ଚ୍ୟାଲେଞ୍ଜ କରିବା ପରେ ଏକ ରେଫରାଲ୍ ଲାବୋରେଟୋରୀରେ ପୁନର୍ବାର ପରୀକ୍ଷା କରାଯାଇଥିଲା। ତେବେ ଦ୍ୱିତୀୟ ଥର ପରୀକ୍ଷାରେ ଏଥିରେ ପଲିନ୍ୟୁକ୍ଲିୟର ଆରୋମାଟିକ ହାଇଡ୍ରୋକାର୍ବନ (PAHs) ମିଳିଥିଲା, ଯାହା ପରେ ଏହି ନମୁନାକୁ ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ ବୋଲି କୁହାଯାଇଛି।

ବ୍ରୋମେଟ ସାଧାରଣତଃ ଜଳକୁ ବିଶୋଧନ କରିବା ସମୟରେ ଓଜୋନ ବ୍ୟବହାର ଦ୍ୱାରା ସୃଷ୍ଟି ହୋଇଥାଏ। ଅନ୍ତର୍ଜାତୀୟ କର୍କଟ ଗବେଷଣା ସଂସ୍ଥା ଅନୁଯାୟୀ, ଏହା ଶରୀରରେ କର୍କଟ (Cancer) ସୃଷ୍ଟି କରିବାର ସମ୍ଭାବନା ରଖିଥାଏ। ଏହାର ଦୀର୍ଘକାଳୀନ ପ୍ରଭାବରେ କିଡନୀ ନଷ୍ଟ, ଅକ୍ସିଡେଟିଭ୍ ଷ୍ଟ୍ରେସ୍ ଏବଂ DNA କ୍ଷତିଗ୍ରସ୍ତ ହୋଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ପାନୀୟ ଜଳରେ ବ୍ରୋମେଟର ପରିମାଣ ପ୍ରତି ଲିଟର ପିଛା ୧୦ ମାଇକ୍ରୋଗ୍ରାମରୁ କମ୍ ରହିବା ଉଚିତ।

ସେହିପରି PAHs ହେଉଛି ଏକ ପ୍ରକାର ରାସାୟନିକ ଗୋଷ୍ଠୀ ଯାହା କୋଇଲା, ପେଟ୍ରୋଲିୟମ ଏବଂ କାଠର ଅଧା ଜଳା ଯୋଗୁଁ ସୃଷ୍ଟି ହୋଇଥାଏ। ଏହା ସାଧାରଣତଃ ପରିବେଶ ପ୍ରଦୂଷଣରୁ ଆସିଥାଏ। ଏହି ରାସାୟନିକ ପଦାର୍ଥ ଯୋଗୁଁ ମଧ୍ୟ କର୍କଟ ରୋଗ ହେବାର ଭୟ ଥାଏ ଏବଂ ଏହା ମଣିଷର ପ୍ରଜନନ ତଥା ରୋଗ ପ୍ରତିରୋଧକ ଶକ୍ତି ଉପରେ କୁପ୍ରଭାବ ପକାଇଥାଏ।

ପ୍ୟାକେଜ୍ ପାନୀୟ ଜଳ କିଣିବା ସମୟରେ ଗ୍ରାହକମାନେ ବୋତଲ ଉପରେ ଥିବା FSSAI ଲାଇସେନ୍ସ ନମ୍ବର, ବ୍ୟାଚ୍ ବିବରଣୀ, ଉତ୍ପାଦନ ତାରିଖ ଏବଂ ଏକ୍ସପାୟାରୀ ତାରିଖ ନିଶ୍ଚିତ ଭାବେ ଯାଞ୍ଚ କରିବା ଆବଶ୍ୟକ। ଯଦି ବୋତଲର ସିଲ୍ ଭଙ୍ଗା ଯାଇଥାଏ, ତେବେ ତାକୁ ବ୍ୟବହାର କରନ୍ତୁ ନାହିଁ। ମନେରଖନ୍ତୁ, ଜଳରେ ଥିବା ରାସାୟନିକ ପ୍ରଦୂଷଣ ସ୍ୱାଦ କିମ୍ବା ଗନ୍ଧରୁ ସହଜରେ ଜାଣିବା ସମ୍ଭବ ନୁହେଁ।

ଏହି ବିବାଦ ପରେ ବିସଲେରି ଇଣ୍ଟରନ୍ୟାସନାଲ ପକ୍ଷରୁ କୁହାଯାଇଛି ଯେ ସେମାନଙ୍କର ସମସ୍ତ ଉତ୍ପାଦ ସମ୍ପୂର୍ଣ୍ଣ ସୁରକ୍ଷିତ। କମ୍ପାନୀ ଦାବି କରିଛି ଯେ ସେମାନେ ୯୦ ରୁ ଅଧିକ କଠୋର ଗୁଣବତ୍ତା ପରୀକ୍ଷା ଏବଂ ୧୦-ପର୍ଯ୍ୟାୟ ଉତ୍ପାଦନ ପ୍ରକ୍ରିୟା ଅନୁସରଣ କରନ୍ତି। ଏହି ମାମଲାର ସମାଧାନ ପାଇଁ ସେମାନେ FSSAI କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସୂଚନା ଦେଇଛନ୍ତି।

କମ୍ପାନୀ ଏହି ବିବାଦ ଉପରେ ସ୍ପଷ୍ଟୀକରଣ ଦେଇ କହିଛି ଯେ, ଏହା ସେପ୍ଟେମ୍ବର ୨୦୨୫ ର ଏକ ପୁରୁଣା ବ୍ୟାଚ୍ ସହ ଜଡ଼ିତ। ପ୍ରାୟ ୧୪ ମାସ ପୂର୍ବର ଏହି ଘଟଣାକୁ ନେଇ କମ୍ପାନୀ କହିଛି ଯେ, ଏକ ସ୍ୱାଧୀନ ପ୍ରୟୋଗଶାଳାରେ କରାଯାଇଥିବା ପରୀକ୍ଷାରେ ବ୍ରୋମେଟ୍ ସ୍ତର ସଠିକ୍ ଥିବା ଜଣାପଡ଼ିଥିଲା। ୨୦୨୬ ଫେବୃଆରୀ ମାସରେ ଏହି ରିପୋର୍ଟ FSSAI କୁ ପ୍ରଦାନ କରାଯାଇଥିଲେ ହେଁ, ସେବେଠାରୁ କୌଣସି ଆଧିକାରିକ ନୋଟିସ୍ ମିଳିନାହିଁ। ବିସଲେରି ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ କହିଛି ଯେ, ଉପଭୋକ୍ତାଙ୍କ ସୁରକ୍ଷା ସେମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।