ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଚାଲିଛି ବୋଇତ ବନ୍ଦାଣ ଉତ୍ସବ; ମନେ ପଡେ ପ୍ରାଚୀନ କଳିଙ୍ଗର ଗୌରବମୟ ନୌବାଣିଜ୍ୟ ପରମ୍ପରା
ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ସାରା ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ପ୍ରାଚୀନ କଳିଙ୍ଗର ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରି ରାଜ୍ୟର କୋଣ ଅନୁକୋଣରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଜଳାଶୟଗୁଡ଼ିକରେ ବୋଇତ ବନ୍ଦାଣ କରିଛନ୍ତି। ଭୋର ସମୟରୁ ନଦୀ, ପୋଖରୀ ଓ ସମୁଦ୍ର କୂଳରେ ଶ୍ରଦ୍ଧାଳୁମାନେ ରୁଣ୍ଡ ହୋଇ କଦଳୀ ପଟୁଆ, କାଗଜ ଏବଂ ଥର୍ମୋକୁଲରେ ନିର୍ମିତ କ୍ଷୁଦ୍ର ଡଙ୍ଗା ଭସାଇଛନ୍ତି।
ଏହି ପାରମ୍ପରିକ ରୀତିନୀତି ପ୍ରାଚୀନ କାଳର କଳିଙ୍ଗ ବ୍ୟବସାୟୀ ବା ସାଧବ ପୁଅମାନଙ୍କ ସାମୁଦ୍ରିକ ଯାତ୍ରାର ସ୍ମୃତି ବହନ କରେ। ସେମାନେ ବାଲି, ଜାଭା, ସୁମାତ୍ରା, ମିଆଁମାର ଏବଂ ଶ୍ରୀଲଙ୍କା ଭଳି ଦୂର ଦୂରାନ୍ତ ଦେଶକୁ ବାଣିଜ୍ୟ ପାଇଁ ଯାତ୍ରା କରୁଥିଲେ। ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇବା ସମୟରେ ପାରମ୍ପରିକ ପଦ “ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର, ବୋଇତ ବନ୍ଦାଣ ହୋ!” ଗାନ କରି ଶୁଭ ମନାସୀ ଥିଲେ।
ରାଜଧାନୀ ଭୁବନେଶ୍ୱରର ଏତିହାସିକ ବିନ୍ଦୁସାଗର କୂଳରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ସେହିପରି କଟକର ମହାନଦୀ କୂଳସ୍ଥ ଗଡ଼ଗଡ଼ିଆ ଘାଟ ଏବଂ କାଠଯୋଡ଼ିର ଦେବୀଘାଟରେ ଲୋକମାନେ ଉତ୍ସାହର ସହ ବୋଇତ ବନ୍ଦାଣ କରିଥିଲେ। ପୁରୀ ସମୁଦ୍ର କୂଳରେ ମଧ୍ୟ ସୋମବାର ବିଳମ୍ବିତ ରାତିରୁ ଭକ୍ତମାନଙ୍କ ଭିଡ଼ ଜମିଥିଲା।
ଏହି ଅବସରରେ କଟକରେ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରାର ମଧ୍ୟ ଶୁଭାରମ୍ଭ ହୋଇଛି। ସାତ ଦିନ ଧରି ଚାଲିବାକୁ ଥିବା ଏହି ମେଳା ଓଡ଼ିଶାର ଐତିହାସିକ ସାମୁଦ୍ରିକ ବାଣିଜ୍ୟ ଏବଂ ଦକ୍ଷିଣ-ପୂର୍ବ ଏସିଆର ଦେଶଗୁଡ଼ିକ ସହ ଥିବା ସାଂସ୍କୃତିକ ସମ୍ପର୍କକୁ ପ୍ରତିଫଳିତ କରେ। ଦୟା ଓ କୁଆଖାଇ ନଦୀ କୂଳରେ ମଧ୍ୟ ଶ୍ରଦ୍ଧାଳୁମାନେ ଭକ୍ତିଭାବର ସହ କାର୍ତ୍ତିକ ବ୍ରତ ଉଦଯାପନ କରି ବୋଇତ ବନ୍ଦାଣ କରିଛନ୍ତି।