କଟକ: ଆଜିଠୁ ଐତିହାସିକ କଟକ ବାଲିଯାତ୍ରା । ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଐତିହାସିକ ବାଲିଯାତ୍ରା ଆଜିଠାରୁ କଟକର ମହାନଦୀ ପଠାରେ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷର ଏହି ଆଠ ଦିନିଆ ମେଳାକୁ ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କରିବେ, ଯାହା ବାଲିଯାତ୍ରା ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ। ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବ ପାଇଁ ଉପର ଓ ତଳ ପଠାରେ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି।
ରାଷ୍ଟ୍ରପତିଙ୍କ ଗସ୍ତ ଚଳିତ ବର୍ଷ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଛି। ମହାମହିମ ରାଷ୍ଟ୍ରପତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିଲଭର ସିଟି ବୋଟ୍ କ୍ଲବରୁ ‘କଳିଙ୍ଗ ତରଙ୍ଗିଣୀ’ ନାମକ ଏକ ସ୍ୱତନ୍ତ୍ର ନୌକାରେ ଗଡ଼ଗଡ଼ିଆ ଘାଟ ପର୍ଯ୍ୟନ୍ତ ଯାତ୍ରା କରିବେ। ସୁରକ୍ଷା ଦୃଷ୍ଟିରୁ ୭ଟି ସୁରକ୍ଷା ବୋଟ୍ ସହିତ ଭାରତୀୟ ନୌସେନା, ଅଗ୍ନିଶମ ସେବା ଓ ଓଡ୍ରାଫ୍ (ODRAF) ଟିମ୍ ନଦୀ ମଧ୍ୟରେ ମୁତୟନ ରହିବେ। ରାଷ୍ଟ୍ରପତି ବାଲିଯାତ୍ରା ପଠାରେ ପହଞ୍ଚିବା ପରେ ପ୍ରଥମେ ‘କଟକ ଇନ୍ କଟକ’ ପ୍ୟାଭିଲିୟନ ଉଦ୍ଘାଟନ କରିବେ। ଏହାପରେ ସେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆୟୋଜିତ ମୁଖ୍ୟ ଉଦ୍ଘାଟନୀ ସମାରୋହରେ ଯୋଗ ଦେବେ। ଏହି ଅବସରରେ ରାଜ୍ୟପାଳ ବ୍ରହ୍ମକୁମାରୀ ରାମ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ରହିବେ।
ପ୍ରାୟ ୬୦ ଏକର ଜମିରେ ବିସ୍ତାରିତ ଏହି ବିଶାଳ ମେଳାରେ ୧,୮୦୦ରୁ ଅଧିକ ଷ୍ଟଲ୍ ସ୍ଥାପନ କରାଯାଇଛି। ଚଳିତ ବର୍ଷ ପ୍ରାୟ ୮୦ ଲକ୍ଷ ପର୍ଯ୍ୟଟକଙ୍କ ଆଗମନ ହେବ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଥିବା ବେଳେ ବ୍ୟବସାୟିକ କାରବାର ପ୍ରାୟ ୩୫୦ କୋଟି ଟଙ୍କା ଛୁଇଁବ ବୋଲି ଲକ୍ଷ୍ୟ ରଖାଯାଇଛି। ମେଳା ଆୟୋଜନ ପାଇଁ ମୋଟ ୧୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ରାଜ୍ୟ ସରକାର ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏଥର ବାଲିଯାତ୍ରାରେ ଉପର ପଡ଼ିଆର ୧.୯୩ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ୫୯୧ଟି ଷ୍ଟଲ୍ ପାଇଁ ବ୍ୟବସ୍ଥା ହୋଇଛି। ଏହି ପଡ଼ିଆକୁ ୧୧ଟି ବ୍ଲକରେ ବିଭକ୍ତ କରାଯାଇଛି। ଏଠାରେ ୧୨୦ଟି ଖାଦ୍ୟ ଷ୍ଟଲ, ୧୫ ହଜାର ବର୍ଗଫୁଟର ମନୋରଞ୍ଜନ ଜୋନ୍ ଓ ବିଭିନ୍ନ ସରକାରୀ ବିଭାଗର ପ୍ରଦର୍ଶନୀ ରହିବ। ତଳ ପଡ଼ିଆରେ ୧ ହଜାରରୁ ଅଧିକ ଷ୍ଟଲ୍ ରହିବ। ଓରମାସ୍ ପକ୍ଷରୁ ପ୍ରାୟ ୫୦୦ଟି ଷ୍ଟଲ୍ ଖୋଲାଯିବ। ଏଥିରେ ରାଜ୍ୟର ହସ୍ତତନ୍ତ, ହସ୍ତଶିଳ୍ପ, ଗ୍ରାମୀଣ ଉତ୍ପାଦ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ସାମଗ୍ରୀ ବିକ୍ରି ହେବ।