ରାମାୟଣ ନାଟକବେଳେ ଅଘଟଣ: ମଞ୍ଚରେ ଟଳିପଡିଲେ ହନୁମାନ ଚରିତ୍ରରେ ଅଭିନୟ କରୁଥିବା କଳାକାର

ଗଞ୍ଜାମ: ରାମାୟଣ ନାଟକରେ ହନୁମାନ ଚରିତ୍ରରେ ଅଭିନୟ କରୁଥିବା ସମୟରେ ଜଣେ କଳାକାରଙ୍କ ଜୀବନ ଚାଲିଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କାଉଡିଆ ଗାଁରେ ‘ରାମାୟଣ ବା ସତୀ ଲୁହରେ ଜଳୁଛି ଲଙ୍କା’ ନାଟକ ପ୍ରଦର୍ଶିତ ହେଉଥିଲା। ଏହି ସମୟରେ କାଉଡିଆ ଗ୍ରାମର ମିଥୁନ ପ୍ରଧାନ ହନୁମାନ ବେଶରେ ନିଜର ଚମତ୍କାର ଅଭିନୟ କରୁଥିଲେ। ମାତ୍ର ଅଭିନୟ ଚାଲିଥିବା ବେଳେ ହଠାତ୍ ସେ ମଞ୍ଚ ଉପରେ ଅଚେତ ହୋଇ ଟଳି ପଡିଥିଲେ।

ମିଥୁନ ମଞ୍ଚରେ ପଡିଯିବା ପରେ ସାଙ୍ଗେ ସାଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ଆଡ଼ପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ। ମୃତ ମିଥୁନ ଜଣେ ଭଲ କଳାକାର ଭାବେ ପରିଚିତ ଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ତଥା କଳାକାର ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି।