ବୟସ ବଢ଼ିବା ସହିତ ଶରୀରର ମାଂସପେଶୀ କ୍ରମଶଃ ଦୁର୍ବଳ ହେବା ଏକ ସାଧାରଣ ପ୍ରକ୍ରିୟା। କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ ଏକ ଚକିତ କଲାଭଳି ତଥ୍ୟ ପ୍ରକାଶ କରିଛନ୍ତି। ୟୁନିଭରସିଟି ଅଫ୍ କୋପେନହେଗେନର ଗବେଷକଙ୍କ ଅନୁଯାୟୀ, ମାଂସପେଶୀର ଏହି ଦୁର୍ବଳତା କେବଳ ଏକ କ୍ଷତି ନୁହେଁ, ବରଂ ଏହା କୋଷଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଶରୀରର ଏକ ଗୁପ୍ତ ପ୍ରତିରକ୍ଷା ବ୍ୟବସ୍ଥା।
ଏହି ଗବେଷଣାରୁ ଜଣାପଡ଼ିଛି ଯେ, ମାଂସପେଶୀ ମଧ୍ୟରେ ଥିବା କାର୍ଡିଓଲିପିନ୍ (Cardiolipin) ନାମକ ଏକ ସ୍ୱତନ୍ତ୍ର ସ୍ନେହସାର ଅଣୁର ହ୍ରାସ ଘଟିବା ଯୋଗୁଁ ମାଂସପେଶୀ ଶକ୍ତି ହରାଇଥାଏ। ଏହି ଅଣୁଟି ମାଇଟୋକଣ୍ଡ୍ରିଆର ଆଭ୍ୟନ୍ତରୀଣ ସଂରଚନା ବଜାୟ ରଖିବାରେ ସାହାଯ୍ୟ କରେ। ବୟସ ବଢ଼ିବା ସହ ଏହାର ମାତ୍ରା କମିଯାଏ, ଯାହା ଫଳରେ ମାଂସପେଶୀର ଫାଇବରଗୁଡ଼ିକ ଫାଷ୍ଟ-ଟ୍ୱିଚ୍ (Fast-twitch) ରୁ ସ୍ଲୋ-ଟ୍ୱିଚ୍ (Slow-twitch) କୁ ପରିବର୍ତ୍ତିତ ହୁଅନ୍ତି। ଏହି ପରିବର୍ତ୍ତନ ମାଂସପେଶୀର ଶକ୍ତିକୁ କମାଇ ଦେଇଥାଏ, କିନ୍ତୁ କୋଷଗୁଡ଼ିକୁ ଅଧିକ କ୍ଷତିରୁ ରକ୍ଷା କରିଥାଏ।
ବୟସ ବୃଦ୍ଧି ସହିତ ମାଇଟୋକଣ୍ଡ୍ରିଆ କମ୍ କାର୍ଯ୍ୟକ୍ଷମ ହୋଇଥାଏ। ଗବେଷକମାନେ ଦେଖିଛନ୍ତି ଯେ ଯେତେବେଳେ କାର୍ଡିଓଲିପିନ୍ ସ୍ତର କମିଯାଏ, ମାଇଟୋକଣ୍ଡ୍ରିଆରୁ ଅଧିକ ପରିମାଣର ରିଆକ୍ଟିଭ୍ ଅକ୍ସିଜେନ୍ ସ୍ପେସିଜ୍ (ROS) ନିର୍ଗତ ହୁଏ। ଏହି ROS ଅଣୁଗୁଡ଼ିକ ମାଂସପେଶୀକୁ ଚେତାବନୀ ଦିଅନ୍ତି ଯେ କିଛି ଭୁଲ୍ ହେଉଛି। ଏହାର ଉତ୍ତରରେ, ERRγ ନାମକ ଏକ ପ୍ରୋଟିନ୍ ମାଂସପେଶୀକୁ ନିଜର ଶକ୍ତି ତ୍ୟାଗ କରି ସୁରକ୍ଷା ଆପଣେଇବାକୁ ନିର୍ଦ୍ଦେଶ ଦେଇଥାଏ।
ବୈଜ୍ଞାନିକମାନେ ମୂଷାମାନଙ୍କ ଉପରେ କରିଥିବା ପରୀକ୍ଷାରୁ ଦେଖିବାକୁ ପାଇଛନ୍ତି ଯେ, କାର୍ଡିଓଲିପିନର ମାତ୍ରାକୁ ପ୍ରାୟ ଦୁଇ-ତୃତୀୟାଂଶ ପର୍ଯ୍ୟନ୍ତ ପୁନଃସ୍ଥାପିତ କରିବା ଦ୍ୱାରା ମାଂସପେଶୀର କ୍ଷୟ ରୋକାଯାଇପାରୁଛି ଏବଂ ଅକାଳ ମୃତ୍ୟୁରୁ ମଧ୍ୟ ରକ୍ଷା ମିଳୁଛି। ଏହି ଗବେଷଣା ବୃଦ୍ଧାବସ୍ଥାରେ ହେଉଥିବା ମାଂସପେଶୀ ଦୁର୍ବଳତା ପାଇଁ ଏଲାମିପ୍ରେଟାଇଡ୍ (Elamipretide) ଭଳି ଔଷଧର ବ୍ୟବହାର ଦିଗରେ ନୂଆ ପଥ ପ୍ରଶସ୍ତ କରିଛି।