କଟକ: କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ମନ୍ଦିରରେ ବଡ଼ ଓଷା ଅବସରରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ପ୍ରଭୁଙ୍କ ବଡ଼ ସିଂହାର ବେଶ ଦର୍ଶନ କରିବା ସହ ସ୍ୱତନ୍ତ୍ର ଗଜଭୋଗ ପାଇବା ପାଇଁ ହଜାର ହଜାର ଭକ୍ତ ପୀଠରେ ଜମା ହୋଇଛନ୍ତି। ସୋମବାର ସକାଳୁ ମହାଦେବଙ୍କ ଦୁର୍ଲଭ ହରି-ହର ବେଶ ନୀତିକାନ୍ତି ଆରମ୍ଭ ହୋଇଥିବାରୁ ଶ୍ରଦ୍ଧାଳୁମାନେ ଆଶୀର୍ବାଦ ଭିକ୍ଷା କରିବାକୁ ଲମ୍ବା ଧାଡ଼ିରେ ଅପେକ୍ଷା କରିଛନ୍ତି।
ରବିବାର ଅପରାହ୍ନରୁ ଶ୍ରଦ୍ଧାଳୁମାନେ ପୀଠରେ ପହଞ୍ଚିବା ଆରମ୍ଭ କରିଥିଲେ। କଟକ, ଚୌଦ୍ଵାର ଏବଂ ଆଠଗଡ଼ ରାସ୍ତା ଦେଇ ଯାତ୍ରୀବାହୀ ଯାନବାହନର ସୁଅ ଛୁଟିଥିଲା। ନୂଆପାଟଣା ଚାହାଟ ଘାଟଠାରୁ ଧବଳେଶ୍ୱର ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଜନସମୁଦ୍ରରେ ପରିଣତ ହୋଇଛି। ଚୌଦ୍ଵାର ଏସଡିପିଓ ଉମାକାନ୍ତ ନାୟକଙ୍କ ସୂଚନା ଅନୁଯାୟୀ, ରବିବାର ରାତି ସୁଦ୍ଧା ଏକ ଲକ୍ଷରୁ ଅଧିକ ଭକ୍ତ ପୀଠ ଦର୍ଶନ କରିସାରିଛନ୍ତି। ମନ୍ଦିର ପରିସର ହରିବୋଲ ଓ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହେଉଛି।
ଏହି ବିଶାଳ ଜନସମାଗମକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନଦୀ ଘାଟ, କଂକ୍ରିଟ୍ ପୋଲ ଏବଂ ମନ୍ଦିରର ବିଭିନ୍ନ ସ୍ଥାନରେ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହା ସହ ୧୨ ଜଣ ମାଜିଷ୍ଟ୍ରେଟ୍ ଓ ବରିଷ୍ଠ ପୋଲିସ ଅଧିକାରୀ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ତଦାରଖ କରୁଛନ୍ତି। ଶ୍ରଦ୍ଧାଳୁମାନେ ରାତିସାରା ଅନିଦ୍ରା ରହି ବଡ଼ ସିଂହାର ବେଶ ଦର୍ଶନ କରିବା ସହ ଗଜଭୋଗ ସେବନ କରି ଘରକୁ ଫେରୁଛନ୍ତି।
ସୋମବାର ଭୋର ୨ଟା ସମୟରେ ମନ୍ଦିର ଦ୍ଵାର ଖୋଲାଯାଇଥିଲା। ଏହାପରେ ମଙ୍ଗଳ ଆଳତି ସମ୍ପନ୍ନ ହୋଇଥିଲା। ମହାନଦୀରୁ ଅଣାଯାଇଥିବା ୧୦୮ ଗଡ଼ୁ ଜଳରେ ଚନ୍ଦନ ଓ ଅଗୁରୁ ମିଶ୍ରିତ କରି ପ୍ରଭୁ ଧବଳେଶ୍ୱରଙ୍କୁ ମହାସ୍ନାନ କରାଯାଇଥିଲା। ସେବାୟତ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଦ୍ଵାରା ଖେଚୁଡ଼ି, ଉଖୁଡ଼ା ଓ ବଲ୍ଲଭ ଭୋଗ ଅର୍ପଣ କରାଯିବା ପରେ ଅନ୍ୟାନ୍ୟ ଧୂପ ନୀତି କରାଯାଇଥିଲା। ଭକ୍ତମାନେ ନିଜ ନିଜ ସାଙ୍ଗରେ ଆଣିଥିବା ଚାଉଳ ଓ ପରିବାରେ ରୋଷେଇ କରି ମହାଦେବଙ୍କୁ ଅର୍ପଣ କରିବା ପରେ ପ୍ରସାଦ ସେବନ କରୁଥିବା ଦେଖିବାକୁ ମିଳିଛି।