ନୂଆଦିଲ୍ଲୀ: IPLରୁ ଅବସର ଘୋଷଣା କଲେ ମହେନ୍ଦ୍ର ସିଂ ଧୋନି । ଭାରତୀୟ କ୍ରିକେଟର କିମ୍ବଦନ୍ତୀ ଖେଳାଳି ତଥା ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ଏମଏସ ଧୋନି ଇଣ୍ଡିଆନ ପ୍ରିମିୟର ଲିଗ (IPL) ରୁ ଅବସର ଘୋଷଣା କରିଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏକ ଭାବପ୍ରବଣ ପରିବେଶ ସୃଷ୍ଟି ହୋଇଛି। ତେବେ କ୍ରିଜରୁ ଅବସର ନେଇଥିଲେ ମଧ୍ୟ ସେ ନିଜର ପ୍ରିୟ ଫ୍ରାଞ୍ଚାଇଜ୍ ସହିତ ଜଡ଼ିତ ରହିବେ। ୨୦୨୭ ପାଇଁ ଚେନ୍ନାଇ ସୁପରକିଙ୍ଗ୍ସର ମେଣ୍ଟର ଦାୟିତ୍ବରେ ରହିବେ ଏମଏସ ଧୋନି ।
ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଏହି ସୂଚନାକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରାଯାଇଛି। ଫ୍ରାଞ୍ଚାଇଜ୍ ଜଣାଇଛି ଯେ, ଧୋନି ଆଉ ମୈଦାନରେ ବ୍ୟାଟ୍ ଧରି ନଜର ଆସିବେ ନାହିଁ। କିନ୍ତୁ IPL 2027 ରୁ ସେ ଦଳର ମେଣ୍ଟର ଭାବେ କାର୍ଯ୍ୟ କରିବେ। ସିଏସକେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଛି ଯେ, ‘ଅଗଣିତ ବିଜୟ, ଚ୍ୟାଲେଞ୍ଜପୂର୍ଣ୍ଣ ସମୟ ଏବଂ ଅଭୁଲା ସ୍ମୃତି ମଧ୍ୟରେ ଧୋନି ଆମ ଯାତ୍ରାର ମୁଖ୍ୟ କେନ୍ଦ୍ରବିନ୍ଦୁ ହୋଇ ରହିଛନ୍ତି। ସେ ଆମକୁ ସଫଳତାର ଶୀର୍ଷକୁ ନେବା ସହ ଆଗାମୀ ପିଢ଼ିର ଖେଳାଳିଙ୍କୁ ମଧ୍ୟ ମାର୍ଗଦର୍ଶନ କରିଛନ୍ତି।’
ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ଅନେକ ଥର ଆଇପିଏଲ ଟ୍ରଫି ଜିତିବାରେ ସଫଳ ହୋଇଛି। ଦଳର ମାଲିକ ମଧ୍ୟ ଧୋନିଙ୍କ ଗୁରୁତ୍ୱ ବିଷୟରେ କହିଛନ୍ତି ଯେ, ଧୋନିଙ୍କ ବିନା ଚେନ୍ନାଇ ସୁପର କିଙ୍ଗସର ଅସ୍ତିତ୍ୱ ଚିନ୍ତା କରାଯାଇପାରିବ ନାହିଁ। ତାଙ୍କୁ ଦଳରେ ସାମିଲ କରିବା ଫ୍ରାଞ୍ଚାଇଜ୍ ପାଇଁ ସବୁଠାରୁ ଶ୍ରେଷ୍ଠ ନିଷ୍ପତ୍ତି ଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଧୋନି ମେଣ୍ଟର ଭାବେ ଦଳର ଯୁବ ଖେଳାଳିଙ୍କୁ ତାଲିମ ଦେଇ ସଫଳତା ପଥରେ ଆଗେଇ ନେବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।