ଭୁବନେଶ୍ୱର: ବିଶ୍ୱର ଅନେକ ଲୋକଙ୍କ ପାଇଁ ଚା’ ଏକ ଅପରିହାର୍ଯ୍ୟ ପାନୀୟ। ସକାଳୁ ଉଠିବା ମାତ୍ରେ କିମ୍ବା ସନ୍ଧ୍ୟା ସମୟରେ ଚା’ କପେ ନହେଲେ ଅନେକଙ୍କ କାମ ଚଳେ ନାହିଁ। ତେବେ ସୀମିତ ପରିମାଣର ଚା’ ସେବନ ସ୍ୱାସ୍ଥ୍ୟ ପାଇଁ କିଛି ମାତ୍ରାରେ ଲାଭଦାୟକ ହୋଇଥିବା ବେଳେ, ଏହାର ଅତ୍ୟଧିକ ବ୍ୟବହାର ଶରୀର ଉପରେ ଗମ୍ଭୀର ପ୍ରଭାବ ପକାଇପାରେ।
ଅଧିକ ଚା’ ପିଇବାର ପାର୍ଶ୍ୱ ପ୍ରତିକ୍ରିୟା
ଚା’ରେ କ୍ୟାଫିନ୍ (Caffeine) ଏବଂ ଟ୍ୟାନିନ (Tannins) ରହିଥାଏ, ଯାହା ଶରୀରରେ ଲୌହସାର ବା ଆଇରନ୍ (Iron) ଅବଶୋଷଣ କରିବାର କ୍ଷମତାକୁ କମାଇ ଦିଏ। ଏହା ବ୍ୟତୀତ ମାତ୍ରାଧିକ ଚା’ ସେବନ ଦ୍ୱାରା ଉଦବେଗ (Anxiety), ମାନସିକ ଚାପ ଏବଂ ଅସ୍ଥିରତା ବୃଦ୍ଧି ପାଇଥାଏ। ଖାଲି ପେଟରେ ଚା’ ପିଇବା ଦ୍ୱାରା ବାନ୍ତି (Nausea) କିମ୍ବା ପେଟରେ ଯନ୍ତ୍ରଣା ହୋଇପାରେ। ଏଥିସହ ଏହା ଶରୀରରେ ଏସିଡ୍ ଉତ୍ପାଦନକୁ ଉତ୍ସାହିତ କରୁଥିବାରୁ ଏସିଡିଟି (Acidity) ଏବଂ ଛାତି ପୋଡ଼ା (Heartburn) ଭଳି ସମସ୍ୟା ସୃଷ୍ଟି କରେ।
ନିଦ୍ରା ଏବଂ ହଜମ ପ୍ରକ୍ରିୟାରେ ସମସ୍ୟା
ଅତ୍ୟଧିକ କ୍ୟାଫିନ୍ ସେବନ ଶରୀରର ପ୍ରାକୃତିକ ନିଦ୍ରା ଚକ୍ରକୁ ପ୍ରଭାବିତ କରିଥାଏ, ଯାହା ଫଳରେ ଅନିଦ୍ରା (Insomnia) ସମସ୍ୟା ଦେଖାଦିଏ। ରାତିରେ ଶୋଇବା ପୂର୍ବରୁ ଚା’ ପିଇବା ଦ୍ୱାରା ନିଦ୍ରାରେ ବ୍ୟାଘାତ ସୃଷ୍ଟି ହୋଇଥାଏ, ଯାହା ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।
ସୁସ୍ଥ ରହିବା ପାଇଁ କିଛି ଜରୁରୀ ପରାମର୍ଶ
୧. ଯଦି ଖାଲି ପେଟରେ ଚା’ ପିଇବା ଦ୍ୱାରା ଅସୁବିଧା ହେଉଛି, ତେବେ ଏହାକୁ ବାରଣ କରନ୍ତୁ।
୨. ଖାଦ୍ୟ ଖାଇବା ସମୟରେ ଚା’ ପିଅନ୍ତୁ ନାହିଁ, ବିଶେଷ କରି ଯେଉଁମାନଙ୍କର ଆଇରନ୍ ସ୍ତର କମ୍ ରହିଛି।
୩. ଦିନକୁ ଚା’ ପିଇବାର ସୀମା ନିର୍ଦ୍ଧାରଣ କରନ୍ତୁ ଏବଂ ଶୋଇବା ସମୟ ପୂର୍ବରୁ ଏହାକୁ ପିଇବା ବନ୍ଦ କରନ୍ତୁ।
୪. ହଠାତ୍ ଚା’ ପିଇବା ବନ୍ଦ ନକରି ଧୀରେ ଧୀରେ ଏହାର ପରିମାଣ କମାନ୍ତୁ।
୫. ସାଧାରଣ ଚା’ ବଦଳରେ ହର୍ବାଲ ଟି (Herbal Tea) ଚୟନ କରିପାରିବେ। ତେବେ ଗର୍ଭବତୀ ମହିଳାମାନେ ହର୍ବାଲ ଚା’ ସେବନ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। ଶରୀରରେ ଏସିଡିଟି, ଚିନ୍ତା ବା ଅନିଦ୍ରା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଚା’ ପିଇବା କମାଇବା ପାଇଁ ପଦକ୍ଷେପ ନିଅନ୍ତୁ।