ଗୁଜରାଟର ଅମ୍ବରଡ଼ି ସାଫାରୀ ପାର୍କରେ ସିଂହକୁ ବାଇକରେ ଗୋଡ଼ାଇଲେ କର୍ମଚାରୀ: ଭିଡିଓ ଭାଇରାଲ ପରେ ୩ ବହିଷ୍କୃତ

ଗୁଜରାଟ: ଗୁଜରାଟର ଅମ୍ବରଡ଼ି ସାଫାରୀ ପାର୍କର କିଛି କର୍ମଚାରୀ ଜିପ୍ ପରିବର୍ତ୍ତେ ବାଇକରେ ଏକ ସିଂହକୁ ଗୋଡ଼ାଉଥିବା ଦେଖିବାକୁ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସଫାରୀ ପାର୍କରେ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସେମାନଙ୍କ ପ୍ରତି ହେଉଥିବା ବ୍ୟବହାରକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭିଡିଓଟି ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ କର୍ତ୍ତୃପକ୍ଷ ଏହାର ତଦନ୍ତ କରିଥିଲେ। ତଦନ୍ତରେ ଦୋଷୀ ସାବ୍ୟସ୍ତ ହେବା ପରେ ଭିଡିଓରେ ଥିବା ୩ ଜଣ କର୍ମଚାରୀଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରାଯାଇଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ବାଇକ ଆରୋହୀମାନେ ସିଂହର ପିଛା କରୁଛନ୍ତି ଏବଂ ସିଂହଟି ଭୟଭୀତ ହୋଇ ଦୌଡ଼ୁଛି। ତେବେ ସାଫାରୀ ପାର୍କ କର୍ତ୍ତୃପକ୍ଷ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ‘ନିର୍ଯାତନା’ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ସିଂହଟି ତାର ନିର୍ଦ୍ଧାରିତ ଫିଡିଂ ଏନକ୍ଲୋଜର (Feeding Enclosure) ରୁ ବାହାରକୁ ପଳାଇ ଆସିଥିଲା। କର୍ମଚାରୀମାନେ କେବଳ ତାକୁ ଘଉଡ଼ାଇ ପୁଣି ସେହି ସ୍ଥାନକୁ ଫେରାଇ ନେବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଏଥିପାଇଁ ବାଇକ୍ ବ୍ୟବହାର କରିବା ନିୟମ ଅନୁସାରେ ଭୁଲ୍ ଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହି ଭିଡିଓଟିକୁ ଏକ୍ସ (X) ପ୍ଲାଟଫର୍ମରେ ଜଣେ ବ୍ୟବହାରକାରୀ ସେୟାର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହାକୁ ୫.୯୮ ଲକ୍ଷରୁ ଅଧିକ ଭ୍ୟୁ ଏବଂ ୨.୮ ହଜାରରୁ ଅଧିକ ଲାଇକ୍ ମିଳିଛି। ଶହ ଶହ ଲୋକ କମେଣ୍ଟ କରି ଏହି ଘଟଣାକୁ ନିନ୍ଦା କରିବା ସହ ବନ୍ୟଜନ୍ତୁଙ୍କ ପ୍ରତି ସମ୍ବେଦନଶୀଳତା ରକ୍ଷା କରିବାକୁ ଦାବି କରିଛନ୍ତି।