ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଅଧିକ ଘନୀଭୂତ ହୋଇ ଶୁକ୍ରବାର ଦିନ ଏକ ଗଭୀର ଅବପାତର ରୂପ ନେଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହା ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୯୮୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ଏହା ବର୍ତ୍ତମାନ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବା ବେଳେ ଆସନ୍ତା କିଛି ଦିନ ମଧ୍ୟରେ ଏହା ଭୟଙ୍କର ରୂପ ଧାରଣ କରିପାରେ।
ସଦ୍ୟତମ ବୁଲେଟିନ୍ ଅନୁସାରେ, ଏହି ସିଷ୍ଟମ୍ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଗତି କରୁଛି। ବର୍ତ୍ତମାନ ଏହା ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୬୪୦ କିଲୋମିଟର, ଚେନ୍ନାଇଠାରୁ ୭୬୦ କିଲୋମିଟର ଏବଂ ବିଶାଖାପାଟନମଠାରୁ ୮୭୦ କିଲୋମିଟର ଦୂରରେ ରହିଛି। ଏହା କ୍ରମାଗତ ଭାବେ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୧୬ ନଭେମ୍ବର ସନ୍ଧ୍ୟା ସୁଦ୍ଧା ଏହି ଗଭୀର ଅବପାତ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ। ଏହାପରେ ୧୭ ନଭେମ୍ବର ସନ୍ଧ୍ୟା ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଭୀଷଣ ସାମୁଦ୍ରିକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।
ଏହି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ପାଣିପାଗ ବିଭାଗ ପକ୍ଷରୁ ‘ୟେଲୋ ମେସେଜ୍’ ବା ପ୍ରାକ୍-ବାତ୍ୟା ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ଦୁଇ ଦିନ ମଧ୍ୟରେ ଏହା ଆନ୍ଧ୍ର ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି, ଯାହା ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ବଢ଼ିବା ସହ ବର୍ଷା ହୋଇପାରେ।