ଏକବିଂଶ ଶତାବ୍ଦୀରେ ମଧ୍ୟ କର୍ପୋରେଟ୍ କ୍ଷେତ୍ର ମୁଖ୍ୟତଃ ପୁରୁଷମାନଙ୍କ ଦ୍ୱାରା ପରିଚାଳିତ। ଏଭଳି ପରିସ୍ଥିତିରେ କର୍ପୋରେଟ୍ କ୍ଷେତ୍ରର ଶୀର୍ଷ ସ୍ଥାନକୁ ପହଞ୍ଚିବା ପାଇଁ ମହିଳାମାନଙ୍କୁ ବିଭିନ୍ନ ପ୍ରତିରୋଧର ବା ବଧାବିଘ୍ନର ସାମ୍ନା କରିବାକୁ ପଡେ। କିନ୍ତୁ ଅସମାନତା ସତ୍ତ୍ୱେ, ଏପରି କିଛି ମହିଳା ଅଛନ୍ତି ଯେଉଁମାନେ ରାଙ୍କଠାରୁ ଉର୍ଦ୍ଧ୍ୱରେ ରହି ପ୍ରମୁଖ କର୍ପୋରେସନ ସଂସ୍ଥାକୁ ସଫଳତା ଦିଗରେ ଆଗେଇ ନେଉଛନ୍ତି। ଏହିପରି ଜଣେ ମହିଳା ହେଉଛନ୍ତି ଭୁବନେଶ୍ୱରର ମଧୁସ୍ମିତା ନାୟକ। ଯିଏ break the corporate glass ceiling ଅର୍ଥାତ୍ କର୍ପୋରେଟ୍ କ୍ଷେତ୍ରର ଚିରାଚରିତ ପରମ୍ପରାକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି। ସମସ୍ତ ବାଧାବିଘ୍ନକୁ ସାମ୍ନା କରି ସେ ୟୁଏଇର ଶୀର୍ଷ ସ୍ତରରେ ପହଞ୍ଚିଛନ୍ତି। ନିକଟରେ ଦୁବାଇରେ ଆୟୋଜିତ ମହିଳା ନେତୃତ୍ୱ ସମ୍ମିଳନୀ ତାଙ୍କୁ ଅଗ୍ରଣୀ ମହିଳା ବ୍ୟବସାୟ ପୁରସ୍କାର ୨୦୦୨୧ରେ ପୁରସ୍କୃତ କରାଯାଇଛି।
ବିଭିନ୍ନ ବ୍ୟବସାୟ କ୍ଷେତ୍ରରେ ମହିଳା ନେତୃତ୍ବରେ କରାଯାଇଥିବା ପ୍ରଶଂସନୀୟ କାର୍ଯ୍ୟକୁ ପ୍ରଶଂସା କରିବା ପାଇଁ ଶେଖ ଅହମ୍ମଦ ବିନ୍ ଫୈସଲ ଅଲ କାସିମିଙ୍କ ପୃଷ୍ଠପୋଷକତାରେ ତାଙ୍କ ଘରୋଇ କାର୍ଯ୍ୟାଳୟରେ ଏହି ସମ୍ମିଳନୀ ଆୟୋଜିତ କରାଯାଇଥିଲା। ଏହି ଅବସରରେ ୭ ଜଣ ମହିଳାଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ମଧୁସ୍ମିତା ନାୟକ ସାମିଲ ଥିଲେ।
ପୁରସ୍କୃତ ହେବା ପରେ ମଧୁସ୍ମିତା ଭାରତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏଥିପାଇଁ ମୁଁ ଗର୍ବିତ। ବ୍ୟବସାୟର ଉତ୍କର୍ଷତା ଏବଂ ଗୁଣବତ୍ତା ଦୃଷ୍ଟିରୁ ମୋତେ ପୁରସ୍କୃତ କରାଯାଇଛି। ମଧୁସ୍ମିତା ସ୍ୱୀକାର କରିଛନ୍ତି ଯେ, ପ୍ରାରମ୍ଭରେ ଏହା ତାଙ୍କ ପାଇଁ ସଂଘର୍ଷପୁର୍ଣ୍ଣ ଥିଲା। କିନ୍ତୁ ସାହାଯ୍ୟ ମାଗିବା ଦ୍ବାରା କିଛି ଲୋକଙ୍କ ଠାରୁ ସହଯୋଗ ମିଳିଛି। ଦୁବାଇ ଏକ ମୁସଲମାନ ଦେଶ ହୋଇଥିବାରୁ ଲୋକଙ୍କ ଭୁଲ ଧାରଣା ରହିଛି। ଦୁବାଇର ଆଇନ ଏବଂ କର୍ତ୍ତୃପକ୍ଷ ଅତ୍ୟନ୍ତ ରକ୍ଷଣଶୀଳ ଓ କଠୋର ବୋଲି ଲୋକ ଭାବନ୍ତି। କିନ୍ତୁ ବାସ୍ତବରେ ତାହା ନୁହେଁ। ଏଠାରେ ଅଧିକ ନିରାପଦ ଏବଂ ଲୋକଙ୍କ ଆଗୁଆ ଚିନ୍ତାଧାରା ରହିଛି ବୋଲି ମଧୁସ୍ମିତା କହିଛନ୍ତି। ଏଠାରେ ରହିବା ଦ୍ବାରା ମୋତେ ସାଂସ୍କୃତିକ ବିବିଧତା ଏବଂ ଏକାଧିକ ସୁଯୋଗ ମିଳିଛି। ମୁଁ ଲୋକମାନଙ୍କୁ ପରାମର୍ଶ ଦେବି ଯେ ପରିବର୍ତ୍ତନକୁ ଗ୍ରହଣ କରନ୍ତୁ ଏବଂ ନିଜର ଲାଭ ପାଇଁ ସୁଯୋଗକୁ ବିନିଯୋଗ କରନ୍ତୁ।
ସେ ବ୍ୟବସାୟିକ ଉତ୍କର୍ଷ ତଥା ନବସୃଜନ, ବିବିଧ କ୍ଷେତ୍ର ଏବଂ ଶିଳ୍ପର ୫୦ରୁ ଅଧିକ କମ୍ପାନୀର ଶ୍ରମ ଅଧିକାରର ମୂଲ୍ୟାଙ୍କନ ପାଇଁ ଦୁବାଇ ସରକାର ଏବଂ ଆବୁଧାବି ସରକାରଙ୍କ ପ୍ରତିନିଧିତ୍ୱ କରୁଛନ୍ତି। ଯେଉଁଥିରେ ୟୁଏଇ ଏବଂ ଅନ୍ୟାନ୍ୟ ଦେଶରେ ସରକାରୀ, ଅର୍ଦ୍ଧ ସରକାରୀ ଏବଂ ବେସରକାରୀ ସଂସ୍ଥା ଅନ୍ତର୍ଭୁକ୍ତ। ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ୨୦୨୦ ଡିସେମ୍ବର ୨୦ରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ସହ ଲିଙ୍କଡଇନ୍ ରେ ୨୦୨୦ର ସବୁଠାରୁ ଶକ୍ତିଶାଳୀ ପ୍ରୋଫାଇଲ୍ ଭାବରେ ତାଙ୍କୁ ମନୋନୀତ କରାଯାଇଥିଲା। ଆନ୍ତର୍ଜାତୀୟ ବାଣିଜ୍ୟର ପ୍ରୋତ୍ସାହନ ଗ୍ଲୋବାଲ୍ କାଉନସିଲ୍ ପାଇଁ ୟୁଏଇର ମହାନିର୍ଦ୍ଦେଶକ ଭାବରେ ମଧ୍ୟ ତାଙ୍କୁ ମନୋନୀତ କରାଯାଇଥିଲା।
ଏକ ବ୍ୟବସାୟିକ ମାର୍ଗଦର୍ଶକ ହେବା ବ୍ୟତୀତ ମଧୁସମିତା ଲେଖିବା ଏବଂ ପଢିବା ପ୍ରତି ଆଗ୍ରହ ରଖନ୍ତି। ସେ ଦୁଇଟି ପୁସ୍ତକ Falling in Love with India ଏବଂ She Dares with world ପ୍ରସିଦ୍ଧ ଲେଖକଙ୍କ ସହ ଲେଖିଛନ୍ତି। ପ୍ରଥମ ପୁସ୍ତକଟି ଯଦିଓ କାଳ୍ପନିକ, ଏହାର ପ୍ରକୃତ କାହାଣୀ ତାଙ୍କ ଜେଜେମା’ଙ୍କ ସହ ଗାଁରେ ଥିବା ଅନୁଭୂତି ଉପରେ ଆଧାରିତ। ଦ୍ବିତୀୟ ପୁସ୍ତକଟି ୩୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜୀବନୀ, ସେମାନଙ୍କର ସଂଗ୍ରାମ ଏବଂ ସଫଳତା ଉପରେ ଆଧାରିତ।
ଚତୁର୍ଭୁଜ ନାୟକ ଏବଂ ବିଦୁଲତା ନାୟକଙ୍କ ଝିଅ ମଧୁସ୍ମିତା ଭୁବନେଶ୍ୱରରେ ବଢିଥିଲେ। ୟୁନିଟ୍-୮ ଡିଏଭି ପବ୍ଲିକ୍ ସ୍କୁଲ୍ ରୁ ପାଠପଢା ସମାପ୍ତ କରିବା ପରେ ରାଜଧାନୀ କଲେଜରେ ଏବଂ ଶେଷରେ ଭୁବନେଶ୍ୱରର ଆଇଟିଇଆର (ITER)ରୁ ଇଲେକ୍ଟ୍ରୋନିକ୍ସରେ ବି-ଟେକ୍ କରିଥିଲେ। କଲେଜର କ୍ୟାମ୍ପସ୍ ନିଯୁକ୍ତି ପାଇଥିଲେ ମଧ୍ୟ ଏକ ଦୁର୍ଭାଗ୍ୟଜନକ ଭାବେ ତାଙ୍କ ହାତ ଭାଙ୍ଗିଯିବା କାରଣରୁ ସେ ଯୋଗ ଦେଇ ଯାଇପାରିନଥିଲେ। କଠିନ ସମୟ ଦେଇ ଗତି କରିବା ସତ୍ତ୍ବେ ସେ ଏମବିଏ କରିଥିଲେ, ଯାହା ପରେ ୟୁଏଇ ଏକ୍ସଚେଞ୍ଜରେ ସ୍ଥାନ ପାଇଥିଲେ। ତାଙ୍କ ପିତାମାତା ବହୁତ ସହଯୋଗୀ ଏବଂ ଆଧୁନିକ ଚିନ୍ତାଧାରାସମ୍ପର୍ଣ୍ଣ ହୋଇଥିଲେ ମଧ୍ୟ ଏକମାତ୍ର ଝିଅକୁ ବିଦେଶ ପଠାଇବା ତାଙ୍କ ପାଇଁ ଚିନ୍ତାର କାରଣ ଥିଲା। କିନ୍ତୁ ସବୁ ଅସୁବିଧାକୁ ଏଡାଇ ସେ କର୍ମକ୍ଷେତ୍ରରେ ଯୋଗ ଦେଇଥିଲେ। ସେବେଠାରୁ ୧୩ ବର୍ଷ ବିତିଗଲାଣି, ସେ ପଛକୁ ଫେରିନାହାନ୍ତି।