ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ। ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଏହି ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମାସରେ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ। ବିଶେଷ କରି ତୁଳସୀ ପୂଜାର ମହତ୍ତ୍ୱ ଏହି ମାସରେ ସର୍ବାଧିକ ରହିଥାଏ। ଶ୍ରଦ୍ଧାଳୁମାନେ ନିଷ୍ଠାର ସହ ତୁଳସୀ ଚଉରା ମୂଳେ ଦୀପ ଦାନ କରିବା ସହ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି।
ତୁଳସୀ ପତ୍ର ତୋଳିବାର ବିଧି ଓ ନିୟମ –
ବାୟୁ ପୁରାଣ ଅନୁଯାୟୀ, ତୁଳସୀ ପତ୍ର ତୋଳିବା ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି। ରାତି ସମୟରେ କେବେ ବି ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ। ସେହିପରି ପୂର୍ଣ୍ଣିମା, ଅମାବାସ୍ୟା, ଦ୍ୱାଦଶୀ, ରବିବାର ଏବଂ ସଂକ୍ରାନ୍ତି ଦିନମାନଙ୍କରେ ତୁଳସୀ ପତ୍ର ଛିଣ୍ଡାଇବାକୁ ବାରଣ କରାଯାଇଛି। ଦେହରେ ତେଲ ଲଗାଇବା ପରେ ମଧ୍ୟ ତୁଳସୀ ପତ୍ର ତୋଳିବା ଅଶୁଭ ବୋଲି ବିଶ୍ୱାସ କରାଯାଏ।
ପୂଜା ପୂର୍ବରୁ ଶୌଚ ଓ ପବିତ୍ରତା –
ଧାର୍ମିକ ପରମ୍ପରା ଅନୁସାରେ, ତୁଳସୀ ପୂଜା କରିବା ପୂର୍ବରୁ ସ୍ନାନ କରିବା ଅନିବାର୍ଯ୍ୟ। ସ୍ନାନ ନକରି ତୁଳସୀ ପୂଜା କଲେ ଏହାର ଶୁଭ ଫଳ ମିଳିନଥାଏ। ଏଥିସହିତ ପଶ୍ଚିମ ଦିଗକୁ ମୁହଁ କରି ତୁଳସୀ ପତ୍ର ତୋଳିବାକୁ ବାରଣ କରାଯାଇଛି। ଶୁଦ୍ଧ ପୂତ ଭାବେ ତୁଳସୀ ଚଉରା ମୂଳେ ଜଳ ଲାଗି କରିବା ଓ ସନ୍ଧ୍ୟାରେ ଘିଅ ଦୀପ ଜାଳିବା ଦ୍ୱାରା ଘରେ ସୁଖ-ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇଥାଏ।
କାର୍ତ୍ତିକରେ ତୁଳସୀ ପୂଜାର ମହତ୍ତ୍ୱ –
କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରିବା ଦ୍ୱାରା ଅପାର ପୁଣ୍ୟ ପ୍ରାପ୍ତି ହୁଏ। ଏହି ମାସରେ ତୁଳସୀ ବିବାହ ମଧ୍ୟ ଅନୁଷ୍ଠିତ ହୁଏ, ଯାହା ଭଗବାନ ବିଷ୍ଣୁଙ୍କ ଶାଳଗ୍ରାମ ରୂପ ସହ ସମ୍ପାଦିତ ହୋଇଥାଏ। ଭକ୍ତମାନେ ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରି ମନ୍ଦିର ଦର୍ଶନ ସହ ତୁଳସୀ ପୂଜା କଲେ ଜୀବନରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।