ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ‘ମୁରାସୁ’: ଦକ୍ଷିଣ ଓଡ଼ିଶାର ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ମୁରାସୁ’ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ସୋମବାର ସକାଳ ସୁଦ୍ଧା ଏହା ଏକ ଭୀଷଣ ସାମୁଦ୍ରିକ ଝଡ଼ (Severe Cyclonic Storm) ରେ ପରିଣତ ହୋଇଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି।

ବାତ୍ୟା ‘ମୁରାସୁ’ ସୋମବାର ବିଳମ୍ବିତ ରାତି କିମ୍ବା ମଙ୍ଗଳବାର ସକାଳ ସମୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ନରସାପୁର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁବା ସମୟରେ କେନ୍ଦ୍ରୀୟ ପବନର ଗତି ଘଣ୍ଟାପ୍ରତି ୧୦୦-୧୧୦ କିଲୋମିଟର ରହିପାରେ, ଯାହା ସର୍ବାଧିକ ୧୨୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହା ପରେ ଏହା ଦୁର୍ବଳ ହୋଇ ସାଧାରଣ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରାଯାଇଛି।

ଯଦିଓ ଓଡ଼ିଶାରେ ବାତ୍ୟାର ସିଧାସଳଖ ପବନ ହେବାର ସମ୍ଭାବନା କମ୍, ତଥାପି ଏହାର ବାହ୍ୟ ବଳୟ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ପାଣିପାଗ ବିଭାଗ ପକ୍ଷରୁ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲ୍ଲା ପାଇଁ ମଙ୍ଗଳବାର ଏବଂ ବୁଧବାର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଅଞ୍ଚଳରେ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ବେଗରେ ପବନ ବୋହିବା ସହ ଅତି ପ୍ରବଳ ବର୍ଷା ହୋଇପାରେ।

ବରିଷ୍ଠ ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପାଶୁପାଳକଙ୍କ ଅନୁଯାୟୀ, ଗଞ୍ଜାମର ଗୋପାଳପୁର, ଛତ୍ରପୁର ଏବଂ ବ୍ରହ୍ମପୁର ଭଳି ଅଞ୍ଚଳରେ ବର୍ଷାର ପ୍ରଭାବ ଅଧିକ ରହିବ। ପ୍ରବଳ ବର୍ଷା ଯୋଗୁଁ ପାର୍ବତ୍ୟ ଅଞ୍ଚଳରେ ଭୂସ୍ଖଳନ ଏବଂ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ। ଅନ୍ୟପଟେ ଆମେରିକା ଭିତ୍ତିକ ସଂସ୍ଥା JTWC ଅନୁଯାୟୀ, ବାତ୍ୟାର ବେଗ ଆହୁରି ଅଧିକ ରହିବାର ସମ୍ଭାବନା ରହିଛି। ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।