ସମୁଦ୍ରର ବଦଳୁଥିବା ପରିବେଶ ମଧ୍ୟରେ ମାଛମାନେ କେଉଁ ଆଡ଼କୁ ଗତି କରୁଛନ୍ତି, ନଜର ରଖିବ ସାଟେଲାଇଟ୍

ନୂଆଦିଲ୍ଲୀ: ସମୁଦ୍ରର ବଦଳୁଥିବା ପରିବେଶ ମଧ୍ୟରେ ମାଛମାନେ କେଉଁ ଆଡ଼କୁ ଗତି କରୁଛନ୍ତି, ତାହା ଏବେ ସାଟେଲାଇଟ୍‌ ମାଧ୍ୟମରେ ଜାଣିହେବ। ଏହା ମତ୍ସ୍ୟଜୀବୀମାନଙ୍କୁ ସଠିକ୍ ସୂଚନା ପ୍ରଦାନ କରିବା ସହ ସାମୁଦ୍ରିକ ସମ୍ପଦର ସୁରକ୍ଷାରେ ସହାୟକ ହେବ। କୋଚିଠାରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ICAR-କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଅନୁସନ୍ଧାନ ସଂସ୍ଥାନ (CMFRI) ଠାରେ ଆୟୋଜିତ ତିନି ଦିନିଆ TREVOR-SAFARI ସମ୍ମିଳନୀରେ ୩୦ରୁ ଅଧିକ ଦେଶର ବୈଜ୍ଞାନିକମାନେ ଯୋଗ ଦେଇଥିଲେ । ସାମୁଦ୍ରିକ ପରିବେଶ ପରିବର୍ତ୍ତନ ଏବଂ ଏହାର ପ୍ରଭାବ ବିଷୟରେ ଏଠାରେ ବିସ୍ତୃତ ଆଲୋଚନା ହୋଇଛି ।

ସାଟେଲାଇଟ୍ ତଥ୍ୟ ମାଧ୍ୟମରେ ସମୁଦ୍ରର ତାପମାତ୍ରା, ଜଳର ଗୁଣବତ୍ତା ଏବଂ ମାଛଙ୍କ ବଂଶବୃଦ୍ଧି କ୍ଷେତ୍ର ବିଷୟରେ ସଠିକ୍ ସୂଚନା ମିଳିପାରିବ। ଏହି ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ମତ୍ସ୍ୟଜୀବୀମାନେ ସମ୍ଭାବ୍ୟ ମାଛ ଧରିବା ଅଞ୍ଚଳ ଚିହ୍ନଟ କରିପାରିବେ, ଯାହା ସେମାନଙ୍କର ସମୟ ଓ ଶ୍ରମ ବଞ୍ଚାଇବାରେ ସାହାଯ୍ୟ କରିବ। ଏଥିସହିତ ଜଳବାୟୁ ପରିବର୍ତ୍ତନ ଓ ମୌସୁମୀର ଅନିଶ୍ଚିତତା କିଭଳି ମାଛଙ୍କ ସଂଖ୍ୟା ଉପରେ ପ୍ରଭାବ ପକାଉଛି, ସେନେଇ ବୈଜ୍ଞାନିକମାନେ ତଥ୍ୟ ଉପସ୍ଥାପନ କରିବେ।

ସମ୍ମିଳନୀରେ ମତ୍ସ୍ୟ କ୍ଷେତ୍ରକୁ ଅଧିକ ସ୍ଥାୟୀ କରିବା ଏବଂ ସାମୁଦ୍ରିକ ଜୈବ ବିବିଧତାକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଉପାୟ ଉପରେ ଗୁରୁତ୍ୱ ଦିଆଯାଇଛି। ବୈଜ୍ଞାନିକମାନେ ପାରମ୍ପରିକ ଜ୍ଞାନକୌଶଳ ସହ ଆଧୁନିକ ବିଜ୍ଞାନର ସମନ୍ୱୟ ରକ୍ଷା କରିବା ପାଇଁ ଆଲୋଚନା କରିଛନ୍ତି। ଏହାଛଡ଼ା ମତ୍ସ୍ୟ କ୍ଷେତ୍ରରେ ମହିଳା ଏବଂ ଅବହେଳିତ ଗୋଷ୍ଠୀର ଭୂମିକା ଉପରେ ମଧ୍ୟ ଏହି ସମ୍ମିଳନୀରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି।

ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗର ସହାୟତାରେ ଏକ ସ୍ୱତନ୍ତ୍ର ଅଧିବେଶନରେ ‘ୱାନ୍ ହେଲଥ୍’ ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି, ଯାହା ପରିବେଶ ସ୍ୱାସ୍ଥ୍ୟ ସହିତ ମଣିଷ ଓ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟକୁ ଯୋଡ଼ିଥାଏ। CMFRI ନିର୍ଦ୍ଦେଶକ ଡକ୍ଟର ଗ୍ରିନସନ ଜର୍ଜ କହିଛନ୍ତି ଯେ, ସମୁଦ୍ରର ଅବସ୍ଥାକୁ ଭଲଭାବେ ବୁଝିବା ଏବଂ ପରିବେଶର ଉପଯୁକ୍ତ ମନିଟରିଂ ଦ୍ୱାରା ମତ୍ସ୍ୟଜୀବୀଙ୍କ ଜୀବିକା ଓ ସାମୁଦ୍ରିକ ଖାଦ୍ୟ ସୁରକ୍ଷା ନିଶ୍ଚିତ କରାଯାଇପାରିବ।