ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ବଲିଉଡ ଅଭିନେତା ତୁଷାର କପୁରଙ୍କୁ ୫ କୋଟିର ଚାନ୍ଦା ଧମକ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ତୁଷାର କପୁରଙ୍କୁ ମିଳିଛି ୫ କୋଟିର ଚାନ୍ଦା ଧମକ। ଜଣେ ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ହ୍ୟାରି ବକ୍ସର ବୋଲି ପରିଚୟ ଦେଇ ୫ କୋଟି ଟଙ୍କାର ଚାନ୍ଦା ମାଗିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଭିନେତା ତୁରନ୍ତ ମୁମ୍ବାଇ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ମାମଲାର ତଦନ୍ତ ଆରମ୍ଭ କରିଛି ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ।

ପୋଲିସ ପାଖରେ ଥିବା ହ୍ୟାରି ବକ୍ସରଙ୍କ ଅସଲି ଅଡିଓ ସାମ୍ପଲ୍ ସହିତ ତୁଷାର ପାଇଥିବା କଲ୍‌ର ସ୍ୱରକୁ ତୁଳନା କରାଯାଇଥିଲା। ପ୍ରାଥମିକ ଯାଞ୍ଚରୁ ଏହି ଦୁଇଟି ସ୍ୱର ମିଶୁନଥିବା ଜଣାପଡିଛି, ଯେଉଁଥିପାଇଁ ପୋଲିସ ଏହି କଲ୍‌ଟିକୁ ‘ଫେକ୍’ ବୋଲି ସନ୍ଦେହ କରୁଛି। କେହି ଜଣେ ଦୁର୍ବୃତ୍ତ କେବଳ ଭୟ ସୃଷ୍ଟି କରିବା ପାଇଁ ବିଷ୍ଣୋଇ ଗ୍ୟାଙ୍ଗର ନାମ ବ୍ୟବହାର କରିଥାଇପାରେ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ବଲିଉଡର ଅନେକ ବଡ଼ ବଡ଼ ସେଲିବ୍ରିଟିଙ୍କୁ ବିଷ୍ଣୋଇ ଗ୍ୟାଙ୍ଗ ନାଁରେ ଧମକ ମିଳୁଛି। ଏହି ତାଲିକାରେ ସଲମାନ ଖାନ, ରୋହିତ ଶେଟ୍ଟୀ, ରଣବୀର ସିଂ ଏବଂ ଟାଇଗର ଶ୍ରଫଙ୍କ ଭଳି ତାରକାମାନେ ରହିଛନ୍ତି। ପୋଲିସ ବର୍ତ୍ତମାନ ଏହି ରେକର୍ଡିଂ ପଠାଇଥିବା ବ୍ୟକ୍ତିଙ୍କୁ ଟ୍ରେସ କରିବାକୁ ଚେଷ୍ଟା କରୁଛି।

ଅଭିନେତା ତୁଷାର କପୁରଙ୍କୁ ଶେଷ ଥର ପାଇଁ ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ୱେଲକମ୍ ଟୁ ଦି ଜଙ୍ଗଲରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ, ଏବଂ ଜ୍ୟାକି ଶ୍ରଫଙ୍କ ଭଳି ଅନେକ ବଡ କଳାକାର ଅଛନ୍ତି। ଏହା ସହିତ ସେ ଖୁବଶୀଘ୍ର ରୋହିତ ଶେଟ୍ଟୀଙ୍କ ଲୋକପ୍ରିୟ କମେଡି ଫ୍ରାଞ୍ଚାଇଜ୍ ଗୋଲମାଲ ୫ରେ ନଜର ଆସିବେ। ୨୦୦୬ରୁ ଆରମ୍ଭ ହୋଇଥିବା ଏହି ଫିଲ୍ମ ସିରିଜର ସମସ୍ତ ଭାଗରେ ତୁଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି।