ରାତିରେ ଶୋଇବା ପୂର୍ବରୁ ଗ୍ଲାସେ ଉଷୁମ କ୍ଷୀର ପିଇବା ଏକ ପୁରୁଣା ଅଭ୍ୟାସ। ଅନେକେ ମନେ କରନ୍ତି ଯେ ଏହା ଦ୍ୱାରା ଭଲ ନିଦ ହୋଇଥାଏ। କିନ୍ତୁ ପ୍ରଶ୍ନ ଉଠୁଛି, କ୍ଷୀର ପିଇବା ଦ୍ୱାରା ପ୍ରକୃତରେ ନିଦ ଭଲ ହୁଏ କି? ଆସନ୍ତୁ ଜାଣିବା ଏହା ପଛରେ ଥିବା ବୈଜ୍ଞାନିକ ତଥ୍ୟ।
କ୍ଷୀରରେ ଥିବା ପୋଷକ ତତ୍ତ୍ୱ:
ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ, କ୍ଷୀରରେ ଟ୍ରିପ୍ଟୋଫାନ୍ (Tryptophan) ନାମକ ଏକ ଆମିନୋ ଏସିଡ୍ ଥାଏ। ଏହା ଶରୀରରେ ସେରୋଟୋନିନ୍ (Serotonin) ଏବଂ ମେଲାଟୋନିନ୍ (Melatonin) ହରମୋନ୍ ତିଆରି କରିବାରେ ସାହାଯ୍ୟ କରିଥାଏ, ଯାହା ନିଦ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ବ୍ୟତୀତ କ୍ଷୀରରେ ଥିବା କ୍ୟାଲସିୟମ୍ ଶରୀରର ବିଭିନ୍ନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବା ସହ ଶାନ୍ତିରେ ଶୋଇବାରେ ସହାୟକ ହୋଇଥାଏ।
ବିଜ୍ଞାନ କ’ଣ କହେ?
କ୍ଷୀରରେ ନିଦ୍ରା ସହାୟକ ଉପାଦାନ ଥିଲେ ମଧ୍ୟ, କେବଳ ଏକ ଗ୍ଲାସ୍ କ୍ଷୀର ପିଇବା ଦ୍ୱାରା ଯେ ଭଲ ନିଦ ହେବ, ସେନେଇ କୌଣସି ଦୃଢ଼ ବୈଜ୍ଞାନିକ ପ୍ରମାଣ ନାହିଁ। ଅନେକଙ୍କ କ୍ଷେତ୍ରରେ ଏହା କେବଳ ଏକ ମାନସିକ ସନ୍ତୋଷ ବା ‘Comforting Routine’ ଭାବେ କାମ କରିଥାଏ। ଉଷୁମ କ୍ଷୀର ପିଇବା ଦ୍ୱାରା ମନ ଶାନ୍ତ ହୋଇଥାଏ, ଯାହା ନିଦ ଆସିବାରେ ପରୋକ୍ଷ ଭାବେ ସାହାଯ୍ୟ କରେ।
ସାବଧାନତା ଓ ପାର୍ଶ୍ୱ ପ୍ରତିକ୍ରିୟା
ଯେଉଁମାନଙ୍କର ଲ୍ୟାକ୍ଟୋଜ୍ ଇନଟଲରାନ୍ସ (Lactose Intolerance) ବା ଦୁଗ୍ଧଜାତ ଦ୍ରବ୍ୟ ପ୍ରତି ସମ୍ବେଦନଶୀଳତା ରହିଛି, ସେମାନେ ଶୋଇବା ପୂର୍ବରୁ କ୍ଷୀର ପିଇବା ଅନୁଚିତ୍। ଏହା ଦ୍ୱାରା ପେଟ ଫୁଲିବା (Bloating) କିମ୍ବା ହଜମ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇପାରେ, ଯାହା ଶୋଇବାରେ ବ୍ୟାଘାତ ସୃଷ୍ଟି କରିଥାଏ। ଶେଷରେ କହିବାକୁ ଗଲେ, ଯଦିଓ ଶୋଇବା ପୂର୍ବରୁ କ୍ଷୀର ପିଇବା ଏକ ଭଲ ଅଭ୍ୟାସ, ତେବେ ଏହାକୁ ଅନିଦ୍ରା ବା ଇନସୋମନିଆ (Insomnia) ର ସ୍ଥାୟୀ ସମାଧାନ ଭାବେ ଧରାଯାଇପାରିବ ନାହିଁ।