କେନ୍ଦୁଝରରେ ଅଭାବନୀୟ ଘଟଣା: ଖାଦ୍ୟକୁ ନେଇ କଳି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଘଟଣା । ବାଂଶପାଳ ବ୍ଲକର ନୟାକୋଟ ଥାନା ଅନ୍ତର୍ଗତ କୁଶକଳା ଗାଁର କାଳିଆଡିହି ସାହିରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। କେବଳ ଖାଦ୍ୟ ପାଇଁ ହୋଇଥିବା ସାମାନ୍ୟ କଳିରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ମୃତ ମହିଳାଙ୍କ ନାମ ମେଞ୍ଜାତି ମୁଣ୍ଡା ହୋଇଥିବା ବେଳେ ଅଭିଯୁକ୍ତ ସ୍ୱାମୀର ନାମ ଗାଲୁ ମୁଣ୍ଡା।

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ସନ୍ଧ୍ୟାରେ ଗାଲୁ କାମ ସାରି ଘରକୁ ଫେରିଥିଲେ। ସେ ସେତେବେଳେ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ। ଖାଦ୍ୟ ପରଷିବାକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ଝଗଡ଼ା ଉଗ୍ର ରୂପ ନେଇଥିଲା ଏବଂ ଗାଲୁ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ମାଡ଼ରେ ମେଞ୍ଜାତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ହତ୍ୟା କରିବା ପରେ ନିଜକୁ ବଞ୍ଚାଇବା ପାଇଁ ଗାଲୁ ମୃତଦେହକୁ ନିକଟସ୍ଥ ଏକ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଘଟଣାକୁ ଲୁଚାଇବା ପାଇଁ ସେ ସବୁ ପ୍ରକାର ଉଦ୍ୟମ କରିଥିଲେ। ମାତ୍ର ଚାରି ଦିନ ପରେ ଏହି ରହସ୍ୟ ଉପରୁ ପରଦା ହଟିଥିଲା। ଦମ୍ପତ୍ତିଙ୍କ ପୁଅ ଏବାବଦରେ ନୟାକୋଟ ପୋଲିସକୁ ସୂଚନା ଦେଇଥିଲେ।

ପୁଅର ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ପୋଲିସ ଅଭିଯୁକ୍ତ ଗାଲୁ ମୁଣ୍ଡାକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।