ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା, ମା’ଙ୍କ ଆଗମନ ପାଇଁ ଚଳଚଞ୍ଚଳ ଗାଁଠୁ ସହର

ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା।। ମା’ ଲକ୍ଷ୍ମୀଙ୍କ ଆଗମନ ପାଇଁ ଚଳଚଞ୍ଚଳ ଓଡ଼ିଶାର ବିଭିନ୍ନ ସହର ଓ ଗ୍ରାମାଞ୍ଚଳ । ଓଡ଼ିଶାର ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଓ କେନ୍ଦ୍ରାପଡ଼ା ଅଞ୍ଚଳରେ ମା’ଙ୍କ ଆବାହନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ମା’ଙ୍କ ଆବାହନ ପାଇଁ ରାଜ୍ୟର ସମସ୍ତ ମଣ୍ଡପ ଏବେ ଆଲୋକମାଳାରେ ଝଲସି ଉଠୁଛି। ସୁରକ୍ଷା ଓ ଶୃଙ୍ଖଳିତ ପୂଜା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବୈଠକ କରାଯାଇଛି।

ରବିବାର ବିଧିବିଧାନ ଅନୁଯାୟୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହେବ। ସନ୍ଧ୍ୟାରେ କଳସ ଯାତ୍ରା ସହ ବିଭିନ୍ନ ପୂଜାନୀତି ଅନୁଷ୍ଠିତ ହେବ । ହୋମଯଜ୍ଞ ଓ ପ୍ରାଣପ୍ରତିଷ୍ଠା ସମ୍ପନ୍ନ ହେବା ପରେ ମା’ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ।

ଚଳିତ ବର୍ଷ ଢେଙ୍କାନାଳରେ ପ୍ରାୟ ୪୧ଟି ପୂଜା ମଣ୍ଡପରେ ମା’ଙ୍କ ଆରାଧନା କରାଯାଉଛି । ଆଲୋକମାଳାରେ ଝଲସୁଛି ମଣ୍ଡପ । ପାରମ୍ପରିକ କପଡ଼ା ତୋରଣ, ରଙ୍ଗାରଙ୍ଗ ମୀନା ବଜାର ଏବଂ କୈବଲ୍ୟ ବଜାର ଓ ଦେଉଳସାହି ଭଳି ମଣ୍ଡପରେ ଚାନ୍ଦି ମେଢ଼ ଏହାର ମୁଖ୍ୟ ଆକର୍ଷଣ। ସେହିଭଳି ଭୁବନେଶ୍ୱର ପଟିଆରେ ଚଳିତ ବର୍ଷ ଏଠାରେ ମା’ ଲକ୍ଷ୍ମୀଙ୍କର ଏକ ୮୦ ଫୁଟ ଉଚ୍ଚର ବିଶାଳ ମୂର୍ତ୍ତି ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମୀନା ବଜାରର ଆୟୋଜନ କରାଯାଇଛି, ଯାହା ୭ ଦିନ ପର୍ଯ୍ୟନ୍ତ ଚାଲିବ ।