ଜନଗଣନା ପାଇଁ ନିଅଣ୍ଟ ସରକାରୀ ଶିକ୍ଷକ : ଘରୋଇ ବିଦ୍ୟାଳୟ ଶିକ୍ଷକଙ୍କ ଭରସାରେ ସରକାର

୬୦ ପ୍ରତିଶତ ଶିକ୍ଷକଙ୍କୁ ଛାଡ଼ିବାକୁ ସ୍କୁଲ୍‌ ନାରାଜ, ଘରୋଇ ବିଦ୍ୟାଳୟ ଶିକ୍ଷକଙ୍କୁ ନିୟୋଜନ ପାଇଁ ଯୋଜନା

ଏପ୍ରିଲ ୧୬ରୁ ରାଜଧାନୀରେ ଜନଗଣନା ଆରମ୍ଭ ହେବାକୁ ଯାଉଛି। ଏନେଇ ସମସ୍ତ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆବଶ୍ୟକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ହେଲେ ଭୁବନେଶ୍ବର ଓ ଉପକଣ୍ଠ ପାଇଁ ଗଣନା କରିବାକୁ ପର୍ଯ୍ୟାପ୍ତ ପରିମାଣର ସରକାରୀ ଶିକ୍ଷକଶିକ୍ଷୟିତ୍ରୀ ମିଳୁନାହାନ୍ତି। ଭୁବନେଶ୍ବର ମହାନଗର ନିଗମ ଓ ଭୁବନେଶ୍ବର ବ୍ଲକ୍‌ ଅଞ୍ଚଳର ସମସ୍ତ ସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଶାଇଲେ ମଧ୍ୟ ଗଣନା ପାଇଁ ସଂଖ୍ୟା କମ୍‌ ପଡ଼ୁଛି। ଏଣୁ ବେସରକାରୀ ତଥା ଘରୋଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହାୟତା ନେବାକୁ ଏବେ ବିଭାଗ ଅଣ୍ଟା ଭିଡ଼ିଛି।

ଆସନ୍ତା ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଜନଗଣନାରେ ତାଲିମପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜରମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ବିଦ୍ୟାଳୟସ୍ତରର ଶିକ୍ଷକଶିକ୍ଷୟିତ୍ରୀ ପ୍ରମୁଖ ଭୂମିକା ଗ୍ରହଣ କରିବେ। ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଗଣନାକାରୀ ଭାବେ ନିଯୁକ୍ତି ହେବାକୁ ଥିବା ବେଳେ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଗଣନାରେ ସୁପରଭାଇଜର ଭାବେ ଦାୟିତ୍ବ ନିର୍ବାହ କରିବେ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଭୁବନେଶ୍ବରରେ ସମସ୍ୟା ସୃଷ୍ଟି ହୋଇଛି। ଭୁବନେଶ୍ବର ଓ ଉପକଣ୍ଠରେ ପାଖାପାଖି ୨୦ ଲକ୍ଷ ଲୋକ ବସବାସ କରୁଥିବାରୁ ସେମାନଙ୍କ ଗଣନା କରିବାକୁ ପର୍ଯ୍ୟାପ୍ତ ସଂଖ୍ୟକ ସରକାରୀ ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି। ଭୁବନେଶ୍ବର ମହାନଗର ନିଗମ ଓ ଭୁବନେଶ୍ବର ବ୍ଲକ୍‌ ଅଞ୍ଚଳର ସମସ୍ତ ସରକାରୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସଂଖ୍ୟା ପ୍ରାୟ ୮ଶହ। ୨୦ ଲକ୍ଷ ଲୋକଙ୍କୁ ଗଣନା କରିବାକୁ ୮୦୦ ଶିକ୍ଷକ ଶିକ୍ଷୟିତ୍ରୀ ଯଥେଷ୍ଟ ନ ଥିବାରୁ ଜନଗଣନା ନେଇ ସମସ୍ୟା ସୃଷ୍ଟି ହୋଇଛି। କେଉଁଭଳି ଭାବେ ଗଣନା କରାଯିବ ସେନେଇ ବିଭାଗୀୟ ଅଧିକାରୀମାନେ ବାରମ୍ବାର ବୈଠକ କରିବା ପରେ ବେସରକାରୀ ତଥା ଘରୋଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହାୟତା ନେବାକୁ ବ୍ଲକ୍‌ ଶିକ୍ଷା ଅଧିକାରୀ ନିଷ୍ପତ୍ତି ନେଇଛନ୍ତି। ହାତରେ ଆଉ କମ୍‌ ସମୟ ଥିବାରୁ ଗଣନାକାରୀ ଓ ସୁପରଭାଇଜରମାନଙ୍କ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ସେହିଦୃଷ୍ଟିରୁ ବିଭାଗୀୟ ଅଧିକାରୀମାନେ ଯୋଜନା ପ୍ରସ୍ତୁତ କରିବା ସହ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ସହାୟତା ନେବାକୁ ବିଇଓଙ୍କ ପକ୍ଷରୁ ଚିଠି ଲେଖାଯାଇଛି।

ବିଦ୍ୟାଳୟର ମୋଟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ୬୦ ପ୍ରତିଶତଙ୍କୁ ଗଣନା କାର୍ଯ୍ୟ ପାଇଁ ପଠାଇବାକୁ କୁହାଯାଇଥିଲା। ବିଦ୍ୟାଳୟମାନେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ଏପ୍ରିଲ ମାସରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେଉଛି। ନାମଲେଖା ସାଙ୍ଗକୁ ପାଠପଢ଼ା ମଧ୍ୟ ହେବ। ତେଣୁ ବିଦ୍ୟାଳୟର ୬୦ ପ୍ରତିଶତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜନଗଣନା କାର୍ଯ୍ୟକୁ ପଠାଇଲେ, ପାଠପଢ଼ା ବ୍ୟାହତହେବ ବୋଲି କିଛି ବିଦ୍ୟାଳୟ କହିଛନ୍ତି। ତେବେ ସରକାରୀ ନିର୍ଦ୍ଦେଶ ରହିଥିବାରୁ ଅଧିକାଂଶ ବିଦ୍ୟାଳୟ ଅଳ୍ପ କିଛି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗଣନା କାର୍ଯ୍ୟକୁ ପଠାଇଥିବା ସୂଚନା ମିଳିଛି। ତାପରେ ମଧ୍ୟ ଆବଶ୍ୟକୀୟ ସଂଖ୍ୟା ହେଉ ନଥିବାରୁ ଆଗାମୀ ଦିନରେ ଗଣନା କାର୍ଯ୍ୟରେ ସମସ୍ୟା ଉପୁଜିବାର ଆଶଙ୍କା ପ୍ରକାଶ ପାଇଛି। ଜନଗଣନା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି ଯେ, ଭୁବନେଶ୍ବର ପରି ସହରରେ ଜନଗଣନା କରିବା କଷ୍ଟକର। ଲୋକ ଓ ଘର ଅନୁଯାୟୀ ଗଣନା କରିବାକୁ ଆବଶ୍ୟକ ସରକାରୀ ଶିକ୍ଷକଶିକ୍ଷୟିତ୍ରୀ ନାହାନ୍ତି। ତେଣୁ ଜିଲ୍ଲା ଓ ବ୍ଲକ୍‌ ପ୍ରଶାସନ ଅନ୍ୟମାନଙ୍କ ସହଯୋଗ ନେଇପାରିବେ। ସେହି ଅନୁଯାୟୀ ଘରୋଇ ବିଦ୍ୟାଳୟ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହାୟତା ନିଆଯାଉଛି।