ଭୁବନେଶ୍ୱର: ଶୀତଦିନେ ସାଧାରଣତଃ ଆମକୁ ଶୋଷ କମ୍ ଲାଗିଥାଏ, ଯେଉଁଥିପାଇଁ ଆମେ ପାଣି ପିଇବା କମାଇ ଦେଇଥାଉ। କିନ୍ତୁ ଏହା ଶରୀର ପାଇଁ ବିପଜ୍ଜନକ ହୋଇପାରେ। ଜଳାଭାବ (Dehydration) କେବଳ ଖରାଦିନେ ନୁହେଁ, ବରଂ ଶୀତଦିନେ ମଧ୍ୟ ଶରୀରକୁ ପ୍ରଭାବିତ କରିଥାଏ। ଉପଯୁକ୍ତ ପରିମାଣର ପାଣି ନ ପିଇବା ଦ୍ୱାରା ଶରୀରରେ ଜଳୀୟ ଅଂଶ କମିଯାଏ, ଯାହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଶୀତଦିନେ ଝାଳ କମ୍ ବାହାରୁଥିବାରୁ ଆମେ ଜଳାଭାବକୁ ସହଜରେ ଜାଣିପାରି ନଥାଉ।
ଶୀତଦିନେ କାହିଁକି ହୁଏ ଜଳାଭାବ?
ବିଶେଷଜ୍ଞଙ୍କ ଅନୁଯାୟୀ, ଶୀତଦିନେ ତାପମାତ୍ରା କମ୍ ରହୁଥିବାରୁ ଶୋଷ ଲାଗିବା ପ୍ରକ୍ରିୟା କମିଯାଏ। ଏହାସହ ଶୀତଦିନର ଶୁଷ୍କ ବାୟୁ ଶ୍ୱାସକ୍ରିୟା ମାଧ୍ୟମରେ ଶରୀରରୁ ଜଳୀୟ ଅଂଶ ଶୋଷି ନେଇଥାଏ। ଅଧିକ ପୋଷାକ ପିନ୍ଧିବା କିମ୍ବା ଘରେ ହିଟର (Heater) ବ୍ୟବହାର କରିବା ଦ୍ୱାରା ମଧ୍ୟ ଶରୀରରୁ ଅଜାଣତରେ ଜଳ କ୍ଷୟ ହୋଇଥାଏ।
ଜଳାଭାବର ପ୍ରମୁଖ ଲକ୍ଷଣ
ଯଦି ଆପଣଙ୍କ ପରିସ୍ରାର ରଙ୍ଗ ଗାଢ଼ ହଳଦିଆ ହେଉଛି କିମ୍ବା ପରିସ୍ରା କମ୍ ହେଉଛି, ତେବେ ଏହା ଜଳାଭାବର ସଙ୍କେତ ହୋଇପାରେ। ଏହା ବ୍ୟତୀତ ପାଟି ଓ ଓଠ ଶୁଖିଯିବା, ମୁଣ୍ଡବିନ୍ଧା, ଅତ୍ୟଧିକ କ୍ଲାନ୍ତ ଅନୁଭବ କରିବା, ମୁଣ୍ଡ ବୁଲାଇବା ଏବଂ କୌଣସି କାମରେ ଏକାଗ୍ରତା ରଖିବାରେ ଅସୁବିଧା ହେବା ଭଳି ଲକ୍ଷଣ ଦେଖାଦେଇଥାଏ।
ସୁସ୍ଥ ରହିବା ପାଇଁ କ’ଣ କରିବେ?
ଶରୀରକୁ ହାଇଡ୍ରେଟେଡ୍ ରଖିବା ପାଇଁ ଶୋଷ ଲାଗିବାକୁ ଅପେକ୍ଷା ନକରି ନିୟମିତ ବ୍ୟବଧାନରେ ପାଣି ପିଅନ୍ତୁ। ଆପଣଙ୍କ ଖାଦ୍ୟରେ କାକୁଡ଼ି, ତରଭୁଜ, କମଳା ଏବଂ ସୁପ୍ ଭଳି ପଦାର୍ଥ ସାମିଲ କରନ୍ତୁ। କାମ କରୁଥିବା ସମୟରେ ପାଖରେ ଏକ ପାଣି ବୋତଲ ରଖନ୍ତୁ ଏବଂ ବ୍ୟାୟାମ ପରେ ନିଶ୍ଚିତ ଭାବେ ପାଣି ପିଅନ୍ତୁ। ଶରୀରର ଆବଶ୍ୟକତା ଅନୁଯାୟୀ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ। ଯଦି ଆପଣଙ୍କର କୌଣସି ଶାରୀରିକ ସମସ୍ୟା ଅଛି, ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଜଳ ଗ୍ରହଣ କରନ୍ତୁ।