ବୌଦ୍ଧ: ବୌଦ୍ଧ ଜିଲ୍ଲାର ରେବତୀ କହଁର, ଯିଏ ଦିନେ ‘ଲୋମଶ କନ୍ୟା’ ବା ‘ବନ ବାଳିକା’ ଭାବେ ପରିଚିତ ଥିଲେ, ସେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିଜର ଦୁର୍ଲଭ ଶାରୀରିକ ଅବସ୍ଥା ଯୋଗୁଁ ସମାଜରେ ଅବହେଳିତ ହୋଇ ରହିଥିବା ରେବତୀଙ୍କ ଜୀବନରେ ଏବେ ଏକ ନୂଆ ମୋଡ଼ ଆସିଛି। ପ୍ରାୟ ଦୁଇ ଦଶନ୍ଧି ଧରି ଅନେକ ସଂଘର୍ଷ ଓ ସାମାଜିକ ତାତ୍ସଲ୍ୟ ପରେ ସେ ନିଜର ଜୀବନସାଥୀ ପାଇ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି।
ପ୍ରେମ ପାଇଁ ସମସ୍ତ ବାଧାବିଘ୍ନ ଅତିକ୍ରମ
ଶନିବାର ବୌଦ୍ଧ ଜିଲ୍ଲାର ଖଲିସାହି ଗାଁରେ ରେବତୀ ଏବଂ ନୟାଗଡ଼ ଜିଲ୍ଲାର ପୀତାବାସ ସାହୁଙ୍କ ବିବାହ ସମ୍ପନ୍ନ ହୋଇଛି। ପୀତାବାସ ଜଣେ ଛୋଟ ବ୍ୟବସାୟୀ ଏବଂ ସେ ଦଶପଲ୍ଲା ଥାନା ଅନ୍ତର୍ଗତ ସୁବଳୟା ଗାଁର ବାସିନ୍ଦା। ଗ୍ରାମ ଦେବତୀଙ୍କ ମନ୍ଦିର ନିକଟରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଉଭୟ ବିବାହ କରିଛନ୍ତି। ପୀତାବାସ ରେବତୀଙ୍କୁ ସିନ୍ଦୂର ପିନ୍ଧାଇ ନିଜ ସହ ନୂଆ ସଂସାର ଗଢ଼ିବାକୁ ନେଇଯାଇଛନ୍ତି। ରେବତୀଙ୍କ ଜୀବନର ଏହି ସଫଳତା ସମାଜରେ ଏକ ସକାରାତ୍ମକ ବାର୍ତ୍ତା ଦେଇଛି।
ସଂଘର୍ଷର କାହାଣୀ:
ଉପହାସରୁ ଆତ୍ମବିଶ୍ୱାସ ପର୍ଯ୍ୟନ୍ତ। ପାଖାପାଖି ଦୁଇ ଦଶନ୍ଧି ପୂର୍ବେ ରେବତୀଙ୍କ ଖବର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେ ‘ହାଇପରଟ୍ରାଇକୋସିସ୍’ (Hypertrichosis) ନାମକ ଏକ ଦୁର୍ଲ୍ଲଭ ରୋଗରେ ପୀଡ଼ିତ ଥିଲେ, ଯେଉଁଥିପାଇଁ ତାଙ୍କ ଶରୀରରେ ପ୍ରଚୁର ଲୋମ ବଢ଼ୁଥିଲା। ଏଥିସହ ତାଙ୍କ ମାଢ଼ି ମଧ୍ୟ ଅସ୍ୱାଭାବିକ ଭାବେ ଫୁଲି ଯାଇଥିଲା। ଏହି କାରଣରୁ ଲୋକେ ତାଙ୍କୁ ‘ଲୋମଶ କନ୍ୟା’ କହି ଉପହାସ କରୁଥିଲେ। ମାତ୍ର ୧୩ ବର୍ଷ ବୟସରେ ତାଙ୍କ ବାପା ତାଙ୍କୁ କଟକ ଏସସିବି ମେଡିକାଲ ନେଇଥିଲେ। ସେଠାରେ ଅସ୍ତ୍ରୋପଚାର ଓ ଲେଜର ଚିକିତ୍ସା ପରେ ତାଙ୍କୁ ଏକ ସାଧାରଣ ରୂପ ମିଳିଥିଲା।
ସାମାଜିକ ସ୍ୱୀକୃତିର ଏକ ନୂଆ ଉଦାହରଣ
ଚିକିତ୍ସା ପରେ ବି ରେବତୀଙ୍କ ଜୀବନ ସହଜ ନଥିଲା। ସେ ନିଜର ଭାଇ ଏବଂ ବାପାଙ୍କୁ ହରାଇଥିଲେ ଏବଂ ଗୁଜୁରାଣ ମେଣ୍ଟାଇବା ପାଇଁ ଛେଳି ଚରାଇବାକୁ ମଧ୍ୟ ପଡ଼ିଥିଲା। ତଥାପି ସେ ହାର୍ ମାନିନଥିଲେ। ସରକାରୀ ଆବାସ ଯୋଜନାରେ ଘର ଓ ଅନ୍ୟାନ୍ୟ ସହାୟତା ପରେ ସେ ସ୍ବାବଲମ୍ବୀ ହେବାକୁ ଚେଷ୍ଟା କରିଥିଲେ। ଆଜି ପୀତାବାସଙ୍କ ସହ ତାଙ୍କର ଏହି ବିବାହ କେବଳ ଦୁଇଟି ହୃଦୟର ମିଳନ ନୁହେଁ, ବରଂ ସମାଜ ଦ୍ୱାରା ଅବହେଳିତ ଜଣେ ବ୍ୟକ୍ତିର ମର୍ଯ୍ୟାଦାର ସହ ବଞ୍ଚିବାର ଜୟଯାତ୍ରା।