ତିରୁମାଲାରେ ଭକ୍ତିର ପରାକାଷ୍ଠା: ପ୍ରଭୁ ଶ୍ରୀ ଭେଙ୍କଟେଶ୍ୱରଙ୍କୁ ୧୨୧ କେଜି ସୁନା ଅଳଙ୍କାର ଦାନ କଲେ ଦମ୍ପତ୍ତି

ଆନ୍ଧ୍ରପ୍ରଦେଶ: ତିରୁପତି ମନ୍ଦିରକୁ ୨୦୬ କୋଟିର ସୁନା ଦାନ ଦେଲେ ଦମ୍ପତ୍ତି । ଆନ୍ଧ୍ରପ୍ରଦେଶର ବିଶ୍ୱପ୍ରସିଦ୍ଧ ତିରୁମାଲା ତିରୁପତି ଦେବସ୍ଥାନମ୍ (TTD) ଠାରେ ରପରି ଏକ ଅଭୂତପୂର୍ବ ଦାନ ସାମ୍ନାକୁ ଆସିଛି। ଚେନ୍ନାଇର ଦମ୍ପତ୍ତି ପ୍ରଭୁ ଭେଙ୍କଟେଶ୍ୱରଙ୍କ ଉଦ୍ଦେଶ୍ୟରେ ୧୨୧ କେଜି ଓଜନର ସୁନା ଅଳଙ୍କାର ଅର୍ପଣ କରିଛନ୍ତି। ଏହି ବିଶାଳ ଦାନର ମୂଲ୍ୟ ପ୍ରାୟ ୨୦୬ କୋଟି ଟଙ୍କା ମଧ୍ୟରେ ହେବ ବୋଲି ଆକଳନ କରାଯାଇଛି। ତିରୁପତି ମନ୍ଦିର ଇତିହାସରେ ଏହା କୌଣସି ଜଣେ ବ୍ୟକ୍ତିଙ୍କ ପକ୍ଷରୁ କରାଯାଇଥିବା ସର୍ବବୃହତ ବ୍ୟକ୍ତିଗତ ଦାନ।

ଏହି ଦାନରେ ମୋଟ ୯ଟି ସେଟରେ ୪୫ଟି ଭିନ୍ନ ଭିନ୍ନ ସୁନା ଅଳଙ୍କାର ରହିଛି। ଏଥିମଧ୍ୟରେ ପ୍ରଭୁଙ୍କ ମୁକୁଟ (କିରିଟମ୍), ପଦ୍ମ ପାଦ, କମରପଟି (ବଡ୍ଡନମ୍), ଭୁଜକୀର୍ତ୍ତି, ଶଙ୍ଖ, ଚକ୍ର ଏବଂ ଅଭୟ ହସ୍ତ ସାମିଲ ଅଛି। ପ୍ରଭୁ ଭେଙ୍କଟେଶ୍ୱରଙ୍କୁ ମସ୍ତକରୁ ପାଦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଜାଇବା ପାଇଁ ଏହି ସମସ୍ତ ଅଳଙ୍କାରକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଚେନ୍ନାଇର ପ୍ରତିଷ୍ଠିତ ଜିଆରଟି ଜୁଏଲର୍ସ (GRT Jewellers) ଦ୍ୱାରା ଏହି ଅଳଙ୍କାର ସମୂହ ନିର୍ମିତ ହୋଇଛି।

ଗତ ନଭେମ୍ବର ୨୬ ତାରିଖରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଅଳଙ୍କାରଗୁଡ଼ିକୁ ମନ୍ଦିର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଏହି ସମସ୍ତ ଅଳଙ୍କାର ପ୍ରାଚୀନ ଆଗମ ଶାସ୍ତ୍ର ପରମ୍ପରା ଏବଂ ଟିଟିଡିର ବିଧିବିଧାନ ଅନୁଯାୟୀ ପ୍ରସ୍ତୁତ ହୋଇଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏହାକୁ ତିରୁମାଲାକୁ ଅଣାଯାଇଥିଲା ଏବଂ ବର୍ତ୍ତମାନ ଏହାକୁ ମନ୍ଦିରର ରଙ୍ଗନାୟକୁଲା ମଣ୍ଡପରେ ପ୍ରଦର୍ଶିତ କରାଯାଇଛି।

ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଅବସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ହେଉଛି ଭାରତର ସବୁଠାରୁ ଶ୍ରଦ୍ଧେୟ ତଥା ଧନୀ ହିନ୍ଦୁ ତୀର୍ଥସ୍ଥଳ। ପ୍ରଭୁ ବିଷ୍ଣୁଙ୍କ ଅବତାର ଭାବେ ପୂଜା ପାଉଥିବା ପ୍ରଭୁ ଭେଙ୍କଟେଶ୍ୱରଙ୍କୁ ବାଲାଜୀ, ଗୋବିନ୍ଦ ଏବଂ ଶ୍ରୀନିବାସ ନାମରେ ମଧ୍ୟ ପୂଜା କରାଯାଏ। ପ୍ରତିବର୍ଷ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ କୋଟି କୋଟି ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି।