ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ତିନି ଜଣଙ୍କୁ ଗିରଫ କରିଛି କାନାଡା ପୁଲିସ। ଗିରଫ ତିନି ଅଭିଯୁକ୍ତ ହେଲେ କରଣ ବ୍ରାର (୨୨), କମଲପ୍ରୀତ ସିଂ (୨୨), କରଣପ୍ରୀତ ସିଂ (୨୮) । ଏହି ତିନିଜଣ ପ୍ରାୟ ୩ ରୁ ୫ ବର୍ଷ ପର୍ଯ୍ୟନ୍ତ ଆଲବର୍ଟାର ଏଡମୋଣ୍ଟନରେ ରହୁଥିଲେ। ଗିରଫମାନଙ୍କ ବିରୁଦ୍ଧରେ ହତ୍ୟା ଏବଂ ହତ୍ୟା ଷଡଯନ୍ତ୍ର ମାମଲା ରୁଜୁ ହୋଇଛି ।ଏକ ସାମ୍ବାଦିକ ସମ୍ମିଳନୀରେ କାନାଡ଼ା ପୋଲିସ ଏହି ସୂଚନା ଦେଇଛି।
କାନାଡା ପୋଲିସ କହିଛି, ଗିରଫ ତିନି ଜଣ ସନ୍ଦିଗ୍ଧଙ୍କ ସହ ଭାରତ ସରକାରଙ୍କର ସମ୍ଭାବ୍ୟ ସମ୍ପର୍କ ଅଛି କି ନାହିଁ ତାହାର ଯାଞ୍ଚ କରାଯାଉଛି । କାନାଡା ପୋଲିସ ଏହି ମାମଲାରେ ଆଉ ଅଧିକ କିଛି ସୂଚନା ଦେଇନାହିଁ।
ସୂଚନାଯୋଗ୍ୟ ଯେ ଜୁନ୍ ୨୦୨୩ରେ ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜରକୁ କାନାଡାର ବ୍ରିଟିଶ କଲମ୍ବିଆର ଏକ ଗୁରୁଦ୍ୱାରା ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପାଇଁ କାନାଡା ସରକାର ଭାରତକୁ ଦାୟୀ କରିଥିଲେ । କାନାଡ଼ାର ଅଭିଯୋଗକୁ ଖଣ୍ଡନ କରିଥିଲା ଭାରତ। ଏହି ମାମଲା ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। କାନାଡା ସରକାର ନିଜ ମାଟିରେ ଭାରତ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଛନ୍ତି ବୋଲି ଭାରତ ଅଭିଯୋଗ କରିଆସୁଛି ।