ଜାତୀୟ ହସ୍ତତନ୍ତ ଦିବସ : ଦିଲ୍ଲୀରୁ ପଲ୍ଲୀ ସମ୍ବଲପୁରୀ ବସ୍ତ୍ରର ଚାହିଦା

ଅଗଷ୍ଟ ୭ ଅର୍ଥାତ୍ ଆଜି ହେଉଛି ହସ୍ତତନ୍ତ ଦିବସ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଜାତୀୟ ହସ୍ତତନ୍ତ ଶିଳ୍ପକୁ ପ୍ରୋତ୍ସାହିତ କରି ସ୍ୱଦେଶୀ ଅର୍ଥନୀତିକୁ ମଜବୁତ କରିବା। ଏଥିସହ ବୁଣାକାରଙ୍କ ଆୟ ବୃଦ୍ଧି ସ୍ବଦେଶୀ ହସ୍ତତନ୍ତ କଳା ବଞ୍ଚାଇ ରଖିବା ମୁଖ୍ୟ ଲକ୍ଷ୍ୟ। ବୁଣାକାର ହାତର କାରୁକାର୍ଯ୍ୟ ଦେଶର ସଂସ୍କୃତି ଓ ଐତିହ୍ୟକୁ ପ୍ରତିଫଳିତ କରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ବୁଣାକାରମାନଙ୍କୁ ଆହ୍ବାନ ଦେଇ କହିଛନ୍ତି।

ଏହି ଅବସରରେ ମୋଦି ଟୁଇଟ୍‌ କରିଛନ୍ତି ଯେ “ହସ୍ତତନ୍ତରେ ଭାରତର ବିବିଧତା ଏବଂ ଅଗଣିତ ବୁଣାକାର ଓ ଶିଳ୍ପୀଙ୍କ ନୈପୁଣ୍ୟ ପ୍ରତିଫଳିତ ହୁଏ। #MyHandloomMyPride ବିଚାରଧାରାକୁ ଆଗେଇ ନେଇ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଆମ ବୁଣାକାରମାନଙ୍କୁ ସମର୍ଥନ କରିବା ପାଇଁ ପ୍ରତିବଦ୍ଧ ହେବା। ଆସନ୍ତୁ ସ୍ଥାନୀୟ ହସ୍ତତନ୍ତ ସାମଗ୍ରୀକୁ ସମର୍ଥନ କରିବା।”

ପ୍ରତ୍ୟେକ ରାଜ୍ୟର ଭିନ୍ନ ଭିନ୍ନ ସଂସ୍କୃତି ବୁଣାକାରଙ୍କ କାରୁକାର୍ଯ୍ୟରେ ଦେଖିବାକୁ ମିଳେ। ସେହିପରି ଓଡିଶା ବୁଣାକାରମାନଙ୍କ କାରୁକାର୍ଯ୍ୟ ଦେଶବିଦେଶରେ ବେଶ୍ ପରିଚିତି। ପଶ୍ଚିମଓଡିଶା ଗ୍ରାମାଞ୍ଚଳରେ ଘରେ ଘରେ ହସ୍ତତନ୍ତ ଶିଳ୍ପ ଦେଖିବାକୁ ମିଳେ। ଓଡିଶା ବୁଣାକାରଙ୍କ ହାତ ତିଆରି ସମ୍ବଲପୁରୀ ବସ୍ତ୍ର ଦେଶବିଦେଶରେ ପ୍ରସିଦ୍ଧଲାଭ କରିଛି। ବଲିଉଡ୍ ଅଭିନେତ୍ରୀମାନଙ୍କ ଠାରୁ ଆରମ୍ଭ କରି ରାଜନୈତିକ ଦଳ ନେତ୍ରୀଙ୍କ ମଧ୍ୟରେ ସମ୍ବଲପୁରୀ ଶାଢୀ ବେଶ୍ ଆଦୃତ ଲାଭ କରିଛି।

ଗତକିଛି ଦିନ ତଳେ ବଲିଓଡର ଅଭିନେତ୍ରୀ ବିଦ୍ୟାବାଲନ୍ ଏକ ସମ୍ବଲପୁରୀ ପାଟ୍ଟ ଶାଢୀରେ ବେଶ୍ ଚର୍ଚ୍ଚିତ ହୋଇଥିଲେ। ଏହାର କାରଣ ହେଉଛି ସେ ପିନ୍ଧିଥିବା ଶାଢୀରେ ଗଣିତ ଚିତ୍ରିତ ହୋଇଥିଲା। ଓଡିଶାର ଜଣେ ବୁଣାକାର କଳା ଓ ଗୋଲାପି ରଙ୍ଗରେ ଶାଢୀରେ ଗଣିତର ନିକ୍ଷୁର୍ଣ୍ଣ କାରୁକାର୍ଯ୍ୟ କରିଥିଲେ।

ସେହିପରି ଅନ୍ୟ ଏକ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା। ତାହା ପୁଣି ସମ୍ବଲପୁରୀ ଶାଢୀରେ ବିଭିନ୍ନ ଭାଷରେ ମାତୃ ଶବ୍ଦ ‘ଅ’ ଲେଖାକୁ ନେଇ। ଏହାକୁ ନେଇ ମଧ୍ୟ ବିବାଦ ଦେଖା ଦେଇଥିଲା। ଦୁଇଟି ବୁଣାକାର ଏହାକୁ ନିଜର କାରୁକାର୍ଯ୍ୟ ଶୈଳୀ ବୋଲି ଦାବି କରିଥିଲେ।

ସେହିପରି ରଥଯାତ୍ରା ସମୟରେ ଓଡିଆ ଅଭିନେତ୍ରୀ ଅର୍ଚିତା ସାହୁ ଏକ ଶାଢୀ ପରିଧାନ କରି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଥିଲେ। ସେହି ଶାଢୀରେ ଶ୍ରୀମନ୍ଦିରର ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ମିଳିଥିଲା।

କେବଳ ସେତିକି ନୁହେଁ, କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀ ବିଭିନ୍ନ ସଭାସମିତିରେ ସମ୍ବଲପୁରୀ ଶାଢୀ ପରିଧାନ କରିଥିବା ଦେଖିବାକୁ ମିଳେ। ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସମ୍ବଲପୁରୀ ବସ୍ତ୍ରରେ ନଜର ଆସନ୍ତି।

ସେହିପରି ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ମଧ୍ୟ ସମ୍ବଲପୁରୀ ଶାଢୀ ପରିଧାନ କରିଥିବା ଦେଖାଯାଇଛି।

ଏହା ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସମ୍ବଲପୁରୀ ଶାଢୀ​‌ରେ ନଜର ଆସିଥିଲେ।