୧୫ ବର୍ଷର ଧୈର୍ଯ୍ୟର ଫଳ: ଜଣେ ସାଧାରଣ ଚାଷୀ ଜିତିଲେ ୧୨ କୋଟି ଟଙ୍କାର ଲଟେରୀ

ନୂଆଦିଲ୍ଲୀ: ପଞ୍ଜାବର ମୋହାଲି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଦୀର୍ଘ ୧୫ ବର୍ଷ ଧରି ନିରନ୍ତର ଚେଷ୍ଟା କରିବା ପରେ ଜଣେ ସାଧାରଣ ଚାଷୀଙ୍କ ଭାଗ୍ୟ ବଦଳି ଯାଇଛି । ପଞ୍ଜାବ ରାଜ୍ୟ ଡିୟର ଦିୱାଲୀ ବମ୍ପର ଲଟେରୀରେ ସେ ୧୨ କୋଟି ଟଙ୍କାର ମେଗା ଜ୍ୟାକପଟ୍ ଜିତିଛନ୍ତି ।

ବିଜେତା ଚାଷୀଙ୍କ ନାମ ବଲଜିନ୍ଦର ସିଂ ବୋଲି ଜଣାପଡିଛି, ଯିଏ କି ମୋହାଲିର ଡେରା ବାସି ଅଞ୍ଚଳର ହାମୟୁନପୁର ଗ୍ରାମର ବାସିନ୍ଦା । ସୂଚନା ଅନୁଯାୟୀ, ବଲଜିନ୍ଦର ୨୦୧୦ ମସିହାରୁ ନିଜ ପରିବାର ଲୋକଙ୍କ ଅଗୋଚରରେ ଲଟେରୀ ଟିକେଟ କିଣି ଆସୁଥିଲେ । ଦୀର୍ଘ ଦେଢ଼ ଦଶନ୍ଧି ଧରି ବିଫଳ ହେବା ପରେ ମଧ୍ୟ ସେ ନିଜର ଆଶା ଛାଡି ନଥିଲେ ଏବଂ ଶେଷରେ ତାଙ୍କ ଭାଗ୍ୟ ଚମକିଛି ।

ବଲଜିନ୍ଦର ମୋହାଲିର ଜିରକପୁର ସ୍ଥିତ ଏକ ଦୋକାନରୁ ମାତ୍ର ୫୦୦ ଟଙ୍କାରେ ଏହି ବିଜୟୀ ଲଟେରୀ ଟିକେଟ୍ କିଣିଥିଲେ । ଗତ ସୋମବାର ରାତିରେ ଲଟେରୀର ଫଳାଫଳ ପ୍ରକାଶ ପାଇବା ପରେ ସେ ଏହି ବିପୁଳ ପରିମାଣର ଅର୍ଥ ଜିତିଥିବା ଜାଣିବାକୁ ପାଇଥିଲେ । ମଙ୍ଗଳବାର ଦିନ ସେ ନିଜର ସମସ୍ତ କାଗଜପତ୍ର କାର୍ଯ୍ୟ ଶେଷ କରିବା ପାଇଁ ଲଟେରୀ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସୂଚନାଯୋଗ୍ୟ ଯେ, ପଞ୍ଜାବ ରାଜ୍ୟ ଡିୟର ଦିୱାଲୀ ବମ୍ପର ୨୦୨୪ ର ଡ୍ର’ ନଭେମ୍ବର ୧୬ ତାରିଖରେ ଅନୁଷ୍ଠିତ ହୋଇଥିଲା ।

ଏହି ବିପୁଳ ପୁରସ୍କାର ରାଶିକୁ ସେ କିପରି ଖର୍ଚ୍ଚ କରିବେ ସେ ନେଇ ବଲଜିନ୍ଦର ନିଜର ଯୋଜନା ବିଷୟରେ କହିଛନ୍ତି । ସେ ଏହି ଅର୍ଥର ଅଧିକାଂଶ ଭାଗ ନିଜର ଦୁଇ ସନ୍ତାନଙ୍କ ଉତ୍ତମ ଶିକ୍ଷା ଏବଂ ସୁରକ୍ଷିତ ଭବିଷ୍ୟତ ପାଇଁ ବିନିଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହି ଘଟଣାଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟବହାରକାରୀ କହିଛନ୍ତି ଯେ, “ଏହି ଖବର ଦେଖିବା ପରେ ନିର୍ମଳା ସୀତାରମଣ କହିବେ ମୋତେ ୩୦ ପ୍ରତିଶତ ଟ୍ୟାକ୍ସ ଦିଅ” । ସେହିପରି ଅନ୍ୟ ଜଣେ ଉପଭୋକ୍ତା ମଜାଳିଆ ଢଙ୍ଗରେ ଲେଖିଛନ୍ତି ଯେ, “ବର୍ତ୍ତମାନ ତାଙ୍କୁ ନିଜ ସମ୍ପର୍କୀୟଙ୍କ ଠାରୁ ଶୀଘ୍ର ଲୁଚି ଯିବା ଉଚିତ” ।