ଭୁବନେଶ୍ୱର: ଓଡ଼ିଶାର ତିନୋଟି ଜିଲ୍ଲାରେ ସୁନା ଖଣି ଥିବା ଚିହ୍ନଟ ହୋଇଛି। ଏନେଇ ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (GSI) ଏବଂ ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
କେଉଁ କେଉଁ ଜିଲ୍ଲାରେ ମିଳିବ ସୁନା?
ସରକାରୀ ରିପୋର୍ଟ ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ଗୋପୁର-ଜଳଡିହି, ଦେବଗଡ଼ ଜିଲ୍ଲାର ଆଦସ-ରାମପାଲି ଏବଂ ମୟୂରଭଞ୍ଜ ଜିଲ୍ଲାର ମଦନସାହି-କାଞ୍ଜିଆ ଅଞ୍ଚଳରେ ସୁନା ପଥର ଚିହ୍ନଟ କରାଯାଇଛି। ଏହି ଅଞ୍ଚଳଗୁଡ଼ିକରେ ବ୍ୟାପକ ଅନୁସନ୍ଧାନ ପରେ ସୁନାର ଉପସ୍ଥିତି ନେଇ ସ୍ପଷ୍ଟ ହୋଇଛି।
୨୦୨୬-୨୭ରେ ହେବ ନିଲାମ
ରାଜ୍ୟ ସରକାର ଏହି ଖଣି ଗୁଡ଼ିକର ଉତ୍ତୋଳନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମନ୍ତ୍ରୀ ଜେନା କହିଛନ୍ତି ଯେ, ମୟୂରଭଞ୍ଜ ଜିଲ୍ଲାର ମଦନସାହି-କାଞ୍ଜିଆ ମିନେରାଲ ବ୍ଲକକୁ ୨୦୨୬-୨୭ ଆର୍ଥିକ ବର୍ଷରେ ନିଲାମ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବିଭାଗ ପକ୍ଷରୁ ଆବଶ୍ୟକୀୟ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି।
ସୁନା ସହ ମିଳିବ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ
କେବଳ ସୁନା ନୁହେଁ, ଏହି ଅଞ୍ଚଳଗୁଡ଼ିକରେ ଅନ୍ୟାନ୍ୟ ମୂଲ୍ୟବାନ ଖଣିଜ ସମ୍ପଦ ମଧ୍ୟ ଭରପୂର ରହିଛି। ଦେବଗଡ଼ ଜିଲ୍ଲାର ଆଦସ-ରାମପାଲି ଅଞ୍ଚଳରେ ସୁନା ସହିତ ତମ୍ବା, ଗ୍ରାଫାଇଟ୍ ଏବଂ ରୂପା ଥିବା ଜଣାପଡ଼ିଛି। ସେହିପରି ମୟୂରଭଞ୍ଜର ମଦନସାହି-କାଞ୍ଜିଆ ବ୍ଲକରେ ସୁନା ସହ ନିକେଲ ମଧ୍ୟ ମିଳିଛି। ଏହି ସବୁ ମଲ୍ଟି-ମେଟାଲିକ୍ ବ୍ଲକଗୁଡ଼ିକର ଅର୍ଥନୈତିକ ସମ୍ଭାବ୍ୟତା ଏବଂ ଗୁଣବତ୍ତାକୁ ବିଚାରକୁ ନେଇ ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।