ୱାଶିଂଟନ: ଏକ ନୂତନ ବୈଜ୍ଞାନିକ ଗବେଷଣାରୁ ଜଣାପଡିଛି ଯେ ଭିଟାମିନ୍ B12 ବିରଳ ଜେନେଟିକ୍ ରୋଗର ଚିକିତ୍ସାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ, ଏହି ଭିଟାମିନ୍ ପ୍ରୟୋଗ ଦ୍ୱାରା ଭେରହେଜ୍ ସିଣ୍ଡ୍ରୋମ ଭଳି ଜଟିଳ ଜେନେଟିକ୍ ସମସ୍ୟାର ସମାଧାନ ହୋଇପାରିବ। ଏହି ରୋଗରେ ଶିଶୁମାନଙ୍କର ଶାରୀରିକ ବୃଦ୍ଧି ବାଧାପ୍ରାପ୍ତ ହେବା ସହ ବିକାଶରେ ଅହେତୁକ ବିଳମ୍ବ ଦେଖାଦେଇଥାଏ।
କ’ଣ ଏହି ଭେରହେଜ୍ ସିଣ୍ଡ୍ରୋମ?
ଭେରହେଜ୍ ସିଣ୍ଡ୍ରୋମ ହେଉଛି ଏକ ବିରଳ ଜେନେଟିକ୍ ରୋଗ, ଯାହା ମୁଖ୍ୟତଃ କୋଷ ମଧ୍ୟରେ ଥିବା RNA ସ୍ପ୍ଲାଇସିଂ ପ୍ରକ୍ରିୟାରେ ତ୍ରୁଟି ଯୋଗୁଁ ହୋଇଥାଏ। ଏହି ପ୍ରକ୍ରିୟା ଶରୀରର ପ୍ରୋଟିନ୍ ତିଆରି କରିବା ପାଇଁ ଆବଶ୍ୟକୀୟ ଜେନେଟିକ୍ ନିର୍ଦ୍ଦେଶ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ। ଯେତେବେଳେ ଏହି ପ୍ରକ୍ରିୟାରେ ବାଧା ଉପୁଜେ, ସେତେବେଳେ ଶରୀରର ଅତ୍ୟାବଶ୍ୟକ କାର୍ଯ୍ୟଗୁଡ଼ିକ ପ୍ରଭାବିତ ହୋଇ ରୋଗର କାରଣ ସାଜିଥାଏ।
ବୈଜ୍ଞାନିକ ଗବେଷଣାରୁ ମିଳିଥିବା ସଫଳତା
ବୈଜ୍ଞାନିକମାନେ C. elegans ନାମକ ଏକ କ୍ଷୁଦ୍ର ଜିଆ ଉପରେ ଏହି ପରୀକ୍ଷା କରିଥିଲେ। ଏହି ଜିଆଗୁଡ଼ିକର ଜିନ୍ରେ ମଣିଷଙ୍କ ପରି ସମାନ ଜେନେଟିକ୍ ପରିବର୍ତ୍ତନ କରାଯାଇଥିଲା। ଗବେଷଣାରୁ ଜଣାପଡିଲା ଯେ, ଏହି ମ୍ୟୁଟେସନ୍ ଯୋଗୁଁ ସେମାନଙ୍କର ମେଟାବୋଲିକ୍ ପାଥୱେ ବାଧାପ୍ରାପ୍ତ ହୋଇଥିଲା, ଯାହା ସେମାନଙ୍କ ଶାରୀରିକ ବୃଦ୍ଧିକୁ ରୋକି ଦେଇଥିଲା। କିନ୍ତୁ ଯେତେବେଳେ ସେମାନଙ୍କୁ ଅତିରିକ୍ତ ଭିଟାମିନ୍ B12 ଦିଆଗଲା, ସେତେବେଳେ ସେମାନଙ୍କର ଅଭିବୃଦ୍ଧି ସାଧାରଣ ହେବା ସହ ଜେନେଟିକ୍ ତ୍ରୁଟିଗୁଡ଼ିକ ସୁଧାରି ଯାଇଥିଲା।
ମଣିଷଙ୍କ ପାଇଁ ନୂତନ ଆଶା
ଏହି ଗବେଷଣାର ମୁଖ୍ୟ ଲେଖକ ଜୋନାଥନ କୋଲ୍ସବାକ୍ କହିଛନ୍ତି ଯେ, RNA ପ୍ରକ୍ରିୟାରେ ପରିବର୍ତ୍ତନ କିପରି ଭିଟାମିନ୍ B12 ଉପରେ ନିର୍ଭରଶୀଳ ମେଟାବୋଲିଜିମ୍ କୁ ପ୍ରଭାବିତ କରୁଛି, ତାହା ଆମକୁ ଆଶ୍ଚର୍ଯ୍ୟ କରିଛି। ଏହି ଅନୁସନ୍ଧାନକୁ ଆଗକୁ ବଢ଼ାଇବା ପାଇଁ ନ୍ୟୁରୋପିଡିଆଟ୍ରିସିଆନ୍ ହର୍ମୋସ୍ ଦାଫସାରି ଭେରହେଜ୍ ସିଣ୍ଡ୍ରୋମରେ ପୀଡିତ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲେ, ଯେଉଁଥିରେ ମଧ୍ୟ ସମାନ ମେଟାବୋଲିକ୍ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯଦିଓ ମଣିଷଙ୍କ ଉପରେ ଏହାର ପ୍ରଭାବ ନେଇ ଅଧିକ ଗବେଷଣା ଆବଶ୍ୟକ, ତଥାପି ଏହି ଆବିଷ୍କାର ବିରଳ ଜେନେଟିକ୍ ରୋଗର ନୂତନ ଚିକିତ୍ସା ପଦ୍ଧତି ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି।