ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ସାମୁଦ୍ରିକ ଝଡ଼ ‘ଅକୱାନ’ ଏବେ ଓଡ଼ିଶା ଉପକୂଳ ମୁହାଁ ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏବେ ଘଣ୍ଟା ପ୍ରତି ୧୨ କି.ମି ବେଗରେ ଆଗକୁ ଅଗ୍ରସର ହେଉଛି ବାତ୍ୟା ‘ଅକ୍ୱାନ୍’। ବର୍ତ୍ତମାନ ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି। ତେବେ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ‘ଅକ୍ୱାନ୍’। ଲ୍ୟାଣ୍ଡଫଲ୍ ସମୟରେ ପବନ ବେଗ ପ୍ରାୟ ୧୦୦ କି.ମି ରହିପାରେ। ସେହିପରି ଝଟକା ପବନର ବେଗ ଘଣ୍ଟାପ୍ରତି ୧୧୦ କିମି ରହିପାରେ।
ଗୁରୁବାର ଭୋର ୨.୩୦ ସୁଦ୍ଧା ଏହି ବାତ୍ୟା ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ଠାରୁ ପ୍ରାୟ ୪୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ରହିଛି। ସେହିପରି ଓଡ଼ିଶାର ଗୋପାଳପୁରଠାରୁ ୫୮୦ କିଲୋମିଟର ଦକ୍ଷିଣ ଏବଂ ପୁରୀଠାରୁ ୬୪୦ କିଲୋମିଟର ଦକ୍ଷିଣରେ ଏହା ଅବସ୍ଥିତ। ଏହି ଭୀଷଣ ବାତ୍ୟା ବଙ୍ଗୋପସାଗରରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।
ଆଇଏମଡିର ପୂର୍ବାନୁମାନ ଅନୁଯାୟୀ, ବାତ୍ୟା ‘ଅକୱାନ’ ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୦ (ଶୁକ୍ରବାର) ଦ୍ୱିପ୍ରହର ସମୟରେ ସ୍ଥଳଭାଗ ଛୁଇଁପାରେ। ଏହା ଆନ୍ଧ୍ରପ୍ରଦେଶର ନରସାପୁର ଏବଂ ଓଡ଼ିଶାର ପୁରୀ ମଧ୍ୟରେ କୌଣସି ଏକ ସ୍ଥାନରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବ ଏବଂ ଏହାର ଝଟକା ୧୧୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ। ତେବେ ବାତ୍ୟାର ସଠିକ୍ ସ୍ଥଳଭାଗ ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ।
ସମ୍ପ୍ରତି ବିଭିନ୍ନ ପୂର୍ବାନୁମାନ ମଡେଲ ଗୁଡ଼ିକ ଲ୍ୟାଣ୍ଡଫଲ୍ ନେଇ ଭିନ୍ନ ଭିନ୍ନ ସୂଚନା ଦେଉଥିବାରୁ ଏହାର ପ୍ରକୃତ କେନ୍ଦ୍ରବିନ୍ଦୁ କେଉଁଠି ଉପକୂଳ ଅତିକ୍ରମ କରିବ, ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଆଇଏମଡି ପକ୍ଷରୁ ନରସାପୁରରୁ ପୁରୀ ମଧ୍ୟରେ ବ୍ୟାପକ ଅଞ୍ଚଳକୁ ଚିହ୍ନଟ କରାଯାଇଥିବା ବେଳେ JTWC ଏବଂ ସ୍କାଏମେଟ୍ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନକୁ ଲ୍ୟାଣ୍ଡଫଲ୍ ପଏଣ୍ଟ ବୋଲି ଦର୍ଶାଇଛନ୍ତି। ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହା ଅଧିକ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।