ଚେନ୍ନାଇ: ସାଉଥ୍ ସିନେମା ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଏବଂ ସନରାଇଜର୍ସ ହାଇଦ୍ରାବାଦର (SRH) ସିଇଓ କାବ୍ୟା ମାରନ୍ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୁହିଁଙ୍କ ବିବାହ ଗ୍ରୀସ୍ରେ ହୋଇଥିବା ବେଳେ ପରିବାର ଏବଂ ନିକଟତମ ବନ୍ଧୁମାନଙ୍କ ଗହଣରେ ଏହି ଭବ୍ୟ ବିବାହ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦିନର ଚର୍ଚ୍ଚା ଓ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଏହି ତାରକା ଯୋଡି ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି।
ଅନିରୁଦ୍ଧ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ବିବାହର ପ୍ରଥମ ଫଟୋ ସେୟାର କରିଛନ୍ତି। ସେ ଏକ ଭାବପ୍ରବଣ କ୍ୟାପସନ୍ ଦେଇ ଲେଖିଛନ୍ତି, “My once in a lifetime, for a lifetime 11.11″। ଏହା ସହିତ ସନ୍ ପିକ୍ଚର୍ସ ପକ୍ଷରୁ ମଧ୍ୟ ଏକ୍ସ (ପୂର୍ବରୁ ଟ୍ୱିଟର) ମାଧ୍ୟମରେ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇ ଅନେକ ସୁନ୍ଦର ଫଟୋ ସେୟାର କରାଯାଇଛି।
ଏହି ହାଇ-ପ୍ରୋଫାଇଲ୍ ବିବାହରେ ଡ଼ିଏମକେ ମୁଖ୍ୟ ଏମ.କେ. ଷ୍ଟାଲିନ୍ ଏବଂ ସୁପରଷ୍ଟାର ରଜନୀକାନ୍ତଙ୍କ ସମେତ ଚଳଚ୍ଚିତ୍ର ଓ ରାଜନୈତିକ ଜଗତର କିଛି ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, କାବ୍ୟା ମାରନ୍ ହେଉଛନ୍ତି ସନ୍ ଗ୍ରୁପର ପ୍ରତିଷ୍ଠାତା କଳାନିଧି ମାରନଙ୍କ ଝିଅ। ଅନ୍ୟପଟେ, ଅନିରୁଦ୍ଧ ରବିଚନ୍ଦର ‘ଜବାନ’, ‘ଲିଓ’, ‘ଜେଲର’ ଏବଂ ‘ବିକ୍ରମ’ ପରି ସୁପରହିଟ୍ ଚଳଚ୍ଚିତ୍ରରେ ସଙ୍ଗୀତ ଦେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୨୦୧୨ରେ ତାଙ୍କର ପ୍ରଥମ ଗୀତ “Why This Kolaveri Di” ସାରା ବିଶ୍ୱରେ ଭାଇରାଲ ହୋଇଥିଲା। ବିବାହ ପରେ ଆସନ୍ତା ନଭେମ୍ବର ୨୧ ତାରିଖରେ ଚେନ୍ନାଇରେ ଏକ ଭବ୍ୟ ରିସେପ୍ସନ ବା ପ୍ରିତିଭୋଜନର ଆୟୋଜନ କରାଯାଇଛି।