୯ମ ଶ୍ରେଣୀ ଛାତ୍ରକୁ ୨.୩୦ କୋଟି ଟଙ୍କାର BMW ଉପହାର: ପରୀକ୍ଷାରେ ଭଲ ଫଳ ପାଇଁ ମିଳିଲା ସର୍ପ୍ରାଇଜ୍ ଗିଫ୍ଟ

ପଶ୍ଚିମବଙ୍ଗ: ପରୀକ୍ଷାରେ ଭଲ ଫଳାଫଳ ପାଇଁ ଅଧିକାଂଶ ଅଭିଭାବକ ନିଜ ପିଲାମାନଙ୍କୁ ସାଇକେଲ, ସ୍ମାର୍ଟଫୋନ୍ କିମ୍ବା ଲାପଟପ୍ ଉପହାର ଦେଇଥାନ୍ତି। କିନ୍ତୁ ପଶ୍ଚିମବଙ୍ଗର ଜଣେ ବ୍ୟବସାୟୀ ଏହି ପରମ୍ପରାକୁ ଏକ ନୂତନ ସ୍ତରକୁ ନେଇଯାଇଛନ୍ତି। ନିଜର ୧୫ ବର୍ଷୀୟ ପୁଅକୁ ପରୀକ୍ଷାରେ ଭଲ ନମ୍ବର ରଖିଥିବା କାରଣରୁ ସେ ପ୍ରାୟ ୨.୩୦ କୋଟି ଟଙ୍କା ମୂଲ୍ୟର ଏକ BMW M4 Competition ସ୍ପୋର୍ଟସ କାର୍ ଉପହାର ଦେଇ ଚର୍ଚ୍ଚାରେ ଅଛନ୍ତି।

ଏହି ଅଦ୍ଭୁତ ଘଟଣାଟି ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ଅନ୍ତର୍ଗତ ଗଲସି ଅଞ୍ଚଳର ପାରାଜ ଗ୍ରାମରେ ଘଟିଛି। ୯ମ ଶ୍ରେଣୀର ଛାତ୍ର ମହମ୍ମଦ ତାଲହା ତାଙ୍କ ଅର୍ଦ୍ଧବାର୍ଷିକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ପରେ ଏହି ବିଳାସପୂର୍ଣ୍ଣ କାର୍ ପାଇଛନ୍ତି। ତାଲହାଙ୍କର ଦୀର୍ଘ ଦିନରୁ ଏକ BMW M4 Competition କାର୍ ପାଇଁ ଇଚ୍ଛା ଥିଲା। ପୁଅର ପଢ଼ାପଢ଼ିରେ ଖୁସି ହୋଇ ତାଙ୍କ ପିତା, ବ୍ୟବସାୟୀ ଶାମସୁଦ୍ଦିନ ମିଡିଆ, ପୁଅର ଏହି ସ୍ୱପ୍ନକୁ ପୂରଣ କରିବାକୁ ନିଷ୍ପତ୍ତି ନେଇଥିଲେ।

ସୂଚନା ଅନୁଯାୟୀ, ଶାମସୁଦ୍ଦିନ ମିଡିଆ ମୁମ୍ବାଇ ଯାଇ ସେଠାକାର ଏକ ଶୋ’ରୁମ୍‌ରୁ ଏହି ହାଇ-ପରଫରମାନ୍ସ ଲକ୍ସୁରି କାର୍ କିଣିଥିଲେ। ଏହାପରେ ଏହି ଗାଡିକୁ ପଶ୍ଚିମବଙ୍ଗକୁ ଅଣାଯାଇଥିଲା। ଏହି BMW ମଡେଲଟିର ବଜାର ମୂଲ୍ୟ ପ୍ରାୟ ୨.୩୦ କୋଟି ଟଙ୍କା ବୋଲି କୁହାଯାଉଛି। ଏତେ ଦାମୀ ଉପହାର ପାଇବା ପରେ ଏବେ ତାଲହା ଏବଂ ତାଙ୍କ ପରିବାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଭିନ୍ନ ଭିନ୍ନ ମତ ପ୍ରକାଶ କରିଛନ୍ତି। କିଛି ଲୋକ ପୁଅର ପ୍ରତିଭାକୁ ସମ୍ମାନ ଜଣାଇଥିବାରୁ ବାପାଙ୍କୁ ପ୍ରଶଂସା କରୁଥିବାବେଳେ, ଅନ୍ୟ କେତେକ ଜଣେ ୧୫ ବର୍ଷୀୟ କିଶୋରଙ୍କୁ ଏତେ ଦାମୀ ଉପହାର ଦେବା କେତେଦୂର ଠିକ୍ ବୋଲି ପ୍ରଶ୍ନ ଉଠାଇଛନ୍ତି। ତେବେ ତାଲହା ଜଣେ ନାବାଳକ ହୋଇଥିବାରୁ ଭାରତୀୟ ଆଇନ ଅନୁଯାୟୀ ସେ ଗାଡି ଚଲାଇ ପାରିବେ ନାହିଁ। ତାଙ୍କୁ ୧୮ ବର୍ଷ ନହେବା ପର୍ଯ୍ୟନ୍ତ ଲାଇସେନ୍ସ ମିଳିବ ନାହିଁ। ଏନେଇ ତାଲହା କହିଛନ୍ତି ଯେ, ବର୍ତ୍ତମାନ ତାଙ୍କ ବାପା ଗାଡି ଚଲାଇବେ ଏବଂ ସେ କେବଳ ଯାତ୍ରୀ ଭାବେ ବସିବେ।

ଉଲ୍ଲେଖଯୋଗ୍ୟ ଯେ, ଶାମସୁଦ୍ଦିନ ମିଡିଆ ଜଣେ ବଡ଼ ଚାଉଳ ବ୍ୟବସାୟୀ ଏବଂ ତାଙ୍କର ଅନେକ ରାଇସ୍ ମିଲ୍ ରହିଛି। ତାଙ୍କ ପାଖରେ ପୂର୍ବରୁ ମଧ୍ୟ Range Rover, Volvo, Mahindra Thar ଏବଂ Hyundai Alcazar ଭଳି ଅନେକ ଦାମୀ ଗାଡି ରହିଛି।