ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ଚମୋଲିରେ ହେଲିକପ୍ଟର କ୍ରାସ୍ ଆଶଙ୍କା । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ଯୋଶୀମଠ ଅଞ୍ଚଳରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ପାଇଲଟଙ୍କ ସମେତ ମୋଟ ୬ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିବା ଏକ ହେଲିକପ୍ଟର ଶୁକ୍ରବାର ହଠାତ୍ ନିଖୋଜ ହୋଇଯାଇଛି। ଘଟଣାସ୍ଥଳରେ ତୁରନ୍ତ ଉଦ୍ଧାର ଏବଂ ସନ୍ଧାନ କାର୍ଯ୍ୟ ଆରମ୍ଭ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ହେଲିକପ୍ଟରଟି ଟ୍ରାନ୍ସ ଭାରତ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିଲା ଏବଂ ଏହାର ପଞ୍ଜୀକରଣ ନମ୍ବର ହେଉଛି VT-HCX। ଏହା ଫଟାରୁ ପ୍ରସିଦ୍ଧ ବଦ୍ରିନାଥ ମନ୍ଦିର ଅଭିମୁଖେ ଯାତ୍ରା କରୁଥିବା ବେଳେ ମଝି ଆକାଶରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହିତ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ପ୍ରାଥମିକ ରିପୋର୍ଟ ଅନୁସାରେ, ଯୋଶୀମଠସ୍ଥିତ ହାତୀ ପାହାଡ଼ ପଛପଟେ ଥିବା ଚାୟୀ ଗ୍ରାମ ନିକଟରେ ଏହି ହେଲିକପ୍ଟରଟି କ୍ରାସ୍ ହୋଇଥିବା ସନ୍ଦେହ କରାଯାଉଛି। ନିଖୋଜ ହେଲିକପ୍ଟର ଓ ଏହାର ଭଗ୍ନାବଶେଷ ଠାବ କରିବା ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ଦୁଇଟି ସନ୍ଧାନକାରୀ ହେଲିକପ୍ଟର ନିୟୋଜିତ କରାଯାଇଛି।
ସମ୍ପୃକ୍ତ ଅଞ୍ଚଳରେ ଲଗାଣ ବର୍ଷା ଏବଂ ଘନ କୁହୁଡ଼ି ତଥା ମେଘାଚ୍ଛନ୍ନ ପାଗ ଯୋଗୁଁ ଦୃଶ୍ୟମାନତା କମିଯାଇଛି। ଫଳରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ଓ ସନ୍ଧାନ କାର୍ଯ୍ୟ କରିବାରେ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିରେ ଥିବା ସମସ୍ତ ୬ ଜଣଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଖୋଜଖବର ମିଳିପାରି ନାହିଁ। ପ୍ରଶାସନ ତରଫରୁ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣା ବା ଭଗ୍ନାବଶେଷ ମିଳିବା ନେଇ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ଦିଆଯାଇ ନାହିଁ।