ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ । ଗଭୀର ଅବପାତ ନେଲା ବାତ୍ୟାର ରୂପ ।ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ସୋମବାର ସକାଳ ୫.୩୦ ମିନିଟରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ବାତ୍ୟା ‘ଅର୍ଣ୍ଣବ’ ରୂପ ନେଇଛି। ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଅଗ୍ରସର ହେଉଛି। ଆଜି ରାତି ସୁଦ୍ଧା ଏହା ଏକ ଭୀଷଣ ଘୂର୍ଣ୍ଣିବଳୟ ଏବଂ ଆସନ୍ତାକାଲି ସୁଦ୍ଧା ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।
ବାତ୍ୟା ଅର୍ଣ୍ଣବ ବୁଧବାର ସକାଳ ସୁଦ୍ଧା ଆନ୍ଧ୍ରପ୍ରଦେଶର ବାପାଟଲା ଏବଂ ବିଶାଖାପାଟଣା ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ ରୁ ୧୨୫ କିଲୋମିଟର ରହିବା ସହ ସର୍ବାଧିକ ୧୪୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଲ୍ୟାଣ୍ଡଫଲ୍ ସ୍ଥାନ ଓଡ଼ିଶାର ଗୋପାଳପୁର ଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ରହିବ ବୋଲି ଆକଳନ କରାଯାଇଛି।
ଯଦିଓ ବାତ୍ୟା ଅର୍ଣ୍ଣବ ଓଡ଼ିଶାରେ ସିଧାସଳଖ ମାଡ଼ ହେବ ନାହିଁ, ତଥାପି ରାଜ୍ୟରେ ଏହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିବ। ଏହାର ପ୍ରଭାବରେ ୨୮ ଏବଂ ୨୯ ଅକ୍ଟୋବରରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା କାରଣରୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ସେହିପରି ଭୁବନେଶ୍ୱର ଏବଂ କଟକରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।
ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ପ୍ରାୟ ୬୦ଟି ଓଡ୍ରାଫ୍ (ODRAF) ଟିମ୍, ୧୭ଟି ଏନଡିଆରଏଫ (NDRF) ଟିମ୍ ଏବଂ ୨୨୫ଟି ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି। ପ୍ରଭାବିତ ହେବାକୁ ଥିବା ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାରେ ୨୮ ଓ ୨୯ ଅକ୍ଟୋବର ପାଇଁ ସମସ୍ତ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ବାତ୍ୟା ଆଶ୍ରୟସ୍ଥଳୀରେ ବ୍ୟବସ୍ଥା କରାଯିବା ସହ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ପ୍ରଶାସନର ନିର୍ଦ୍ଦେଶ ମାନି ସତର୍କ ରହିବାକୁ ସରକାର ଜନସାଧାରଣଙ୍କୁ ନିବେଦନ କରିଛନ୍ତି।