ମହାନବମୀ ପାଇଁ ଉତ୍ସବମୁଖର ସାରା ରାଜ୍ୟ: ଶକ୍ତିପୀଠ ଓ ପୂଜା ମଣ୍ଡପରେ ଭକ୍ତଙ୍କ ପ୍ରବଳ ଭିଡ଼

ଭୁବନେଶ୍ୱର: ଆଜି ପବିତ୍ର ମହାନବମୀ। ମହାନବମୀ ପାଇଁ ସମଗ୍ର ଓଡ଼ିଶା ଏବେ ଉତ୍ସବମୁଖର ହୋଇଉଠିଛି ଏବଂ ଜଗତଜନନୀ ମା’ ଦୁର୍ଗାଙ୍କ ଆରାଧନାରେ ମଗ୍ନ । ଚାରିଆଡ଼େ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପୂଜା ମଣ୍ଡପଗୁଡ଼ିକ ଧୂପ ଦୀପର ବାସ୍ନା, ଶଙ୍ଖ ନାଦ ତଥା ଘଣ୍ଟଘଣ୍ଟାର ତାଳରେ ପ୍ରକମ୍ପିତ ହେଉଛି। ସକାଳୁ ସକାଳୁ ଦର୍ଶନାର୍ଥୀମାନେ ମା’ଙ୍କର ଏକ ଝଲକ ପାଇବା ପାଇଁ ପ୍ରବଳ ଉତ୍ସାହର ସହ ରୁଣ୍ଡ ହୋଇଛନ୍ତି ଏବଂ ନିଜ ପରିବାରର ମଙ୍ଗଳ ତଥା ସମାଜରେ ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି।

ମହା ନବମୀ ଅବସରରେ ମା’ ଦୁର୍ଗାଙ୍କ ନବମ ସ୍ୱରୂପ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ମା’ ସିଦ୍ଧିଦାତ୍ରୀ ହେଉଛନ୍ତି ଜ୍ଞାନ, ଶକ୍ତି ଏବଂ ଆଧ୍ୟାତ୍ମିକ ସିଦ୍ଧିର ଅଧିଷ୍ଠାତ୍ରୀ ଦେବୀ। ଭକ୍ତମାନେ ବିଶ୍ୱାସ କରନ୍ତି ଯେ ତାଙ୍କର ଉପାସନା ଦ୍ୱାରା ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ।

ଚଳିତ ବର୍ଷ ଅଷ୍ଟମୀ ଏବଂ ନବମୀ ତିଥିର ମିଳନ ଯୋଗୁଁ ଏହି ପୂଜା ସ୍ୱତନ୍ତ୍ର ମହତ୍ତ୍ୱ ବହନ କରୁଛି। ପାଞ୍ଜି ଅନୁଯାୟୀ, ଆଜି ସକାଳ ପ୍ରାୟ ୧୦:୫୧ ମିନିଟ୍ ପର୍ଯ୍ୟନ୍ତ ଅଷ୍ଟମୀ ତିଥି ରହିବ ଏବଂ ଏହା ପରେ ନବମୀ ତିଥି ଆରମ୍ଭ ହେବ। ତେଣୁ ବିଭିନ୍ନ ପୂଜା ମଣ୍ଡପରେ ସ୍ଥାନୀୟ ପାଞ୍ଜି ଏବଂ ନିର୍ଦ୍ଧାରିତ ପୂଜାବିଧି ଅନୁଯାୟୀ ମହା ଅଷ୍ଟମୀ ଏବଂ ମହା ନବମୀର ସ୍ୱତନ୍ତ୍ର ରୀତିନୀତି ପାଳନ କରାଯିବ।

ମହା ନବମୀ ଅବସରରେ ଶକ୍ତିପୀଠ ତଥା ମଣ୍ଡପଗୁଡ଼ିକରେ ବିଭିନ୍ନ ଧାର୍ମିକ ରୀତିନୀତିର ବିଶେଷ ଗୁରୁତ୍ୱ ରହିଛି। ବିଶେଷକରି ଷୋଡ଼ଶ ଉପଚାର ପୂଜା, ପୁଷ୍ପାଞ୍ଜଳି, ଚଣ୍ଡୀ ପାଠ, ହୋମ-ଯଜ୍ଞ ଏବଂ ଆଳତି ଆଦି ସମ୍ପନ୍ନ କରାଯାଉଛି। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଭକ୍ତମାନଙ୍କର ପ୍ରବଳ ଗହଳି ଲାଗିରହିଛି।