ଯାଜପୁର: ଯାଜପୁର ଜିଲ୍ଲାର ଏକ ଗାଁରେ କୁମ୍ଭୀର ଆତଙ୍କ । ଶୌଚ ପାଇଁ ଯାଇଥିବା ବେଳେ ଜଣେ ୬୭ ବର୍ଷୀୟ ବୃଦ୍ଧଙ୍କୁ ଖରସ୍ରୋତା ନଦୀରେ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ନିଖୋଜ ବୃଦ୍ଧ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଅନ୍ତର୍ଗତ ତାଣ୍ଡରା ଗ୍ରାମପଞ୍ଚାୟତର ବରେଇ ଗାଁର ଗଜେନ୍ଦ୍ର ମାଝୀ। ଗଜେନ୍ଦ୍ର ଶୌଚ ହେବା ପାଇଁ ଗାଁ ନିକଟସ୍ଥ ଖରସ୍ରୋତା ନଦୀ କୂଳକୁ ଯାଇଥିଲେ। ସେଠାରେ ହଠାତ୍ ଏକ କୁମ୍ଭୀର ତାଙ୍କୁ ଆକ୍ରମଣ କରି ନଦୀ ଭିତରକୁ ଟାଣି ନେଇଥିବା ସନ୍ଦେହ କରାଯାଉଛି। ଘଟଣା ପରଠାରୁ ବୃଦ୍ଧଙ୍କର କୌଣସି ପତ୍ତା ମିଳିନାହିଁ।
ଏହି ଘଟଣା ପରେ ଗଜେନ୍ଦ୍ରଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଗଭୀର ଚିନ୍ତାରେ ଅଛନ୍ତି। ବିଶେଷ କରି ନଦୀ କୂଳରେ ରହୁଥିବା ଲୋକମାନଙ୍କ ମଧ୍ୟରେ କୁମ୍ଭୀର ଭୟ ଦେଖିବାକୁ ମିଳିଛି। ବୃଦ୍ଧଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ। ଏହି ଖବର ପ୍ରଚାରିତ ହେବା ପରେ ବରେଇ ଏବଂ ଏହାର ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।