ମହିଳାମାନେ କେମିତି ଖର୍ଚ୍ଚ କରୁଛନ୍ତି ‘ସୁଭଦ୍ରା’ ଟଙ୍କା, AI ସର୍ଭେ କରିବେ ସରକାର

ସୁଭଦ୍ରା ଯୋଜନାରେ ମହିଳାମାନେ ପାଉଥିବା ଟଙ୍କାକୁ କିଭଳି ଖର୍ଚ୍ଚ କରୁଛନ୍ତି ତାହାର ଖୋଳତାଡ କୃତ୍ରିମ ବୁଦ୍ଧିମତା (ଏଆଇ) ଦ୍ୱାରା କରାଯିବ । ଏକ କୋଟିରୁ ଅଧିକ ମହିଳାଙ୍କର ମତାମତ ସଂଗ୍ରହ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ  ମ୍ରିନାଳିନୀ ଦର୍ସୱାଲ ।

ଏଠାରେ ଆୟୋଜିତ ଏକ ଗଣମାଧ୍ୟମ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗର ବିଭିନ୍ନ ଯୋଜନା ସଂକ୍ରାନ୍ତରେ ସୂଚନା ଦେବାବେଳେ କମିଶନର କହିଛନ୍ତି ଯେ ସୁଭଦ୍ରା ଯୋଜନାରେ ରାଜ୍ୟର ମହିଳା ହିତାଧିକାରୀମାନଙ୍କୁ ଦୁଇଟି କିସ୍ତିରେ ବର୍ଷକୁ ୧୦ହଜାର ଟଙ୍କା ଯୋଗାଇ ଦିଆଯାଉଛି । ସେମାନେ ଏହି ଅର୍ଥକୁ କିଭଳି ଖର୍ଚ୍ଚ କରୁଛନ୍ତି ସେ ସଂକ୍ରାନ୍ତରେ ଆଇଆଇଏମ୍‍ ସମ୍ବଲପୁର ପକ୍ଷରୁ ଏକ ସର୍ଭେକ୍ଷଣ କରାଯାଇଥିଲା । ଏଥିରୁ ଜଣାଗଲା ଯେ ଟଙ୍କା ପାଉଥିବା ମହିଳାଙ୍କ ମଧ୍ୟରୁ ପ୍ରାୟ ୨୬ ପ୍ରତିଶତ ଏହି ଅର୍ଥକୁ ଉଦ୍ୟୋଗୀ ହେବାପାଇଁ ବିନିଯୋଗ କରୁଛନ୍ତି । ପ୍ରାୟ ୨୩ ପ୍ରତିଶତ ମହିଳା ହିତାଧିକାରୀ ପାଉଥିବା ଅର୍ଥକୁ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟୟ କରୁଛନ୍ତି ।

ଅବଶିଷ୍ଟ ମହିଳା ହିତାଧିକାରୀମାନଙ୍କ ମଧ୍ୟରୁ ଏକ ବୃହତ୍‍ ଅଂଶ ପାଉଥିବା ଟଙ୍କାକୁ ସଞ୍ଚୟ କରୁଛନ୍ତି । ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ୍‍ ପକ୍ଷରୁ ମଧ୍ୟ କରାଯାଇଥିବା ଏକ ସର୍ଭେକ୍ଷଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହି ଦୁଇଟି ସର୍ବେକ୍ଷଣ ପରେ ଏବେ ଏବେ ଏଆଇ ଜରିଆରେ ସୁଭଦ୍ରା ହିତାଧିକାରୀଙ୍କ ମତାମତ ସଂଗ୍ରହ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରାୟ ଏକ କୋଟି ୨୦ଲକ୍ଷ ହିତାଧିକାରୀଙ୍କ ସୂଚନା ଏଆଇ ଜରିଆରେ ଚାରି ଦିନ ମଧ୍ୟରେ ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି ।

ସେହିଭଳି ସୁଭଦ୍ରା ହିତାଧିକାରୀମାନେ କିଭଳି ଆଗାମୀ ଦିନରେ ଅଧିକରୁ ଅଧିକ ସଂଖ୍ୟାରେ ଉଦ୍ୟୋଗୀ ହୋଇପାରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେବାପରେ ଏବେ ଆର୍ଥିକ ସମିତି ଗଠନପାଇଁ ପଦକ୍ଷେପ ନିଆଯାଉଛି । ଏହି ସମିତିରେ ସୁଭଦ୍ରା ହିତାଧିକାରୀମାନେ ରହିବା ସହିତ ସେମାନଙ୍କୁ ମାଇକ୍ରୋ କ୍ରେଡିଟ୍‍ ଲିଙ୍କ୍‍ କରାଯିବ । କେନ୍ଦ୍ର ସରକାରଙ୍କ ଜନଧନ ଓ ମୁଦ୍ରା ଭଳି ଲୋକପ୍ରିୟ ଯୋଜନା ସହିତ ଏହି ସମିତି ଯୋଡିହେବ ଏବଂ ମହିଳା ହିତାଧିକାରୀମାନେ ସମିତି ଜରିଆରେ ସହଜରେ ଋଣ ଗ୍ରହଣ କରି ନିଜ ନିଜର ବ୍ୟବସାୟ କରିପାରିବେ ।

ସେହିଭଳି ଶିଶୁମାନଙ୍କ ଶିକ୍ଷା ସଂକ୍ରାନ୍ତରେ ମତ ଦେଇ ଶ୍ରୀମତୀ ଦର୍ସୱାଲ କହିଛନ୍ତି ଯେ ଓଡିଶା ସରକାର ଗ୍ରହଣ କରିଥିବା ପ୍ରାଥମିକ ଶିଶୁ ଶିକ୍ଷା ଢାଞ୍ଚାକୁ ଏବେ ସାରା ଦେଶ ଗ୍ରହଣ କରିଛି । ନିକଟରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବମାନଙ୍କ ବୈଠକରେ ଓଡିଶା ସରକାରଙ୍କୁ ଏଥିପାଇଁ ବେଶ୍‍ ପ୍ରଶଂସା କରାଯାଇଛି ।

ପିଆଇବି ଭୁବନେଶ୍ୱର ଦ୍ୱାରା ଆୟୋଜିତ ଏହି କର୍ମଶାଳାରେ ଶ୍ରମତୀ ଦର୍ସୱାଲ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ ବିଜୟ କୁମାର ଦାସ ରାଇରଙ୍ଗପୁର ଠାରେ ଭୁବନେଶ୍ୱର ଏମସ୍‍ର ସାଟେଲାଇଟ୍‍ କେନ୍ଦ୍ର ଖୋଲିବାକୁ ଯାଉଥିବା ସୂଚନା ଦେଇଥିଲେ । ସେହିଭଳି ଦେଶ ବାହାରେ ଯେଭଳି ଓଡିଶାର ସ୍ୱାସ୍ଥ୍ୟକର୍ମୀମାନେ କିଭଳି ସହଜରେ କର୍ମସଂସ୍ଥାନ କରିପାରିବେ ସେଥିପାଇଁ ଖୁବ୍‍ଶୀଘ୍ର ରାଜ୍ୟରେ ଏକ ସାର୍ଟିଫିକେସନ ଲ୍ୟାବ୍‍ ପ୍ରତିଷ୍ଠା ହେବାକୁ ଯାଉଛି । ଏଠାରୁ ପ୍ରମାଣପତ୍ର ପାଇବାପରେ ସ୍ୱାସ୍ଥ୍ୟକର୍ମୀମାନେ ଅନ୍ୟ ଦାକ୍ଷିଣାତ୍ୟ ରାଜ୍ୟଭଳି ବିଦେଶରେ ସହଜରେ ନିଯୁକ୍ତି ପାଇପାରିବେ । ଦେଶରେ ବିହାର ପରେ ଦ୍ୱିତୀୟ ରାଜ୍ୟ ଭାବେ ଓଡିଶାରେ ଏହି ଲ୍ୟାବ ପ୍ରତିଷ୍ଠା ହେବାକୁ ଯାଉଥିବା ସେ କହିଥିଲେ ।