ଗଞ୍ଜାମ: ରିଲ୍ସ ନେଲା ଜୀବନ । ରିଲ୍ସ ବନାଇବା ବେଳେ ପାହାଡ଼ରୁ ଖସି ଯୁବକଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ପ୍ରସିଦ୍ଧ ବାଙ୍କେଶ୍ୱରୀ ପୀଠ ଘାଟିରେ ଘଟିଛି ଏପରି ଅଭାବନୀୟ ଘଟଣା । ନିଜ ବାନ୍ଧବୀଙ୍କ ସହ ସୋସିଆଲ ମିଡିଆ ପାଇଁ ରିଲ୍ସ (Reels) ତିଆରି କରୁଥିବା ବେଳେ ପାହାଡ଼ରୁ ତଳକୁ ଖସିପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାମ ସାଈ ଶଙ୍କର ପଣ୍ଡା ଏବଂ ସେ ବ୍ରହ୍ମପୁର ଅଞ୍ଚଳର ବୋଲି ଜଣାପଡ଼ିଛି।
ରିପୋର୍ଟ ଅନୁଯାୟୀ, ସାଈ ଶଙ୍କର ଓ ତାଙ୍କ ବାନ୍ଧବୀ ବାଙ୍କେଶ୍ୱରୀ ପୀଠ ବୁଲିବାକୁ ଯାଇଥିଲେ। ସେଠାରେ ପାହାଡ଼ କଡ଼ରେ ସେମାନେ ମୋବାଇଲରେ ରିଲ୍ସ ସୁଟିଂ କରୁଥିବା ସମୟରେ ଅସାବଧାନତା ବଶତଃ ସାଈଙ୍କ ଗୋଡ଼ ଖସି ଯାଇଥିଲା ଏବଂ ସେ ସିଧା ପାହାଡ଼ ତଳକୁ ଖସି ପଡ଼ିଥିଲେ। ଏହି ଦୁର୍ଘଟଣାରେ ଯୁବତୀ ଜଣକ ସୁରକ୍ଷିତ ଥିଲେ ହେଁ ସାଈ ଗଭୀର ଖାତକୁ ଖସି ନିଖୋଜ ହୋଇଯାଇଥିଲେ।
ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅନେକ ଘଣ୍ଟାର ଖୋଜାଖୋଜି ପରେ ପାହାଡ଼ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦିଗପହଣ୍ଡି ଥାନା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ଚେଷ୍ଟା କରୁଛି। ବିପଜ୍ଜନକ ସ୍ଥାନରେ ରିଲ୍ସ ନିଶା ଯୁବପିଢ଼ିଙ୍କ ପାଇଁ କେତେ ମାରାତ୍ମକ ସାବ୍ୟସ୍ତ ହେଉଛି, ଏହି ଘଟଣା ପୁଣି ଥରେ ତାହା ପ୍ରମାଣିତ କରିଛି।