କୋରାପୁଟ: କୋରାପୁଟ ଜିଲ୍ଲାରେ ପାରିବାରିକ କଳହରୁ ଏକ ଅତ୍ୟନ୍ତ ଅଭାବନୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ତରକାରିକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଶେଷରେ ରକ୍ତାକ୍ତ ରୂପ ନେଇଛି। ଉତ୍ତ୍ୟକ୍ତ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଟାଙ୍ଗିଆରେ ଚୋଟ ମାରି ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ମୁତାବକ, କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲା ପଞ୍ଚାୟତର ପଦୁଗୁଡ଼ା ଗ୍ରାମରେ ଏହି ଅପରାଧ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି ୩୨ ବର୍ଷୀୟା କବିତା ସାଉନ୍ତା। ଅଭିଯୁକ୍ତ ସ୍ୱାମୀଙ୍କ ନାମ ରାବ ସାଉନ୍ତା ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ, ସ୍ୱାମୀଙ୍କୁ ରାତ୍ରି ଭୋଜନ ପରଷିବା ସମୟରେ ତରକାରିକୁ ନେଇ ଦୁହିଁଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ଏହି ଝଗଡ଼ା ଧୀରେ ଧୀରେ ଉଗ୍ର ରୂପ ଧାରଣ କରିଥିଲା।
ବିଳମ୍ବିତ ରାତିରେ ସ୍ୱାମୀ ରାବ ସାଉନ୍ତା କ୍ରୋଧାନ୍ୱିତ ହୋଇ ଘରେ ଥିବା ଏକ ଧାରୁଆ ଟାଙ୍ଗିଆ ସାହାଯ୍ୟରେ ସ୍ତ୍ରୀ କବିତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲା। ଟାଙ୍ଗିଆ ଚୋଟରେ ରକ୍ତ ଜୁଡୁବୁଡୁ ହୋଇ କବିତା ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ଚିତ୍କାର ଶୁଣି ପଡ଼ୋଶୀମାନେ ଜାଣିବା ବେଳକୁ ମହିଳାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।
ଘଟଣା ସମ୍ପର୍କରେ ଖବର ପାଇ କୋରାପୁଟ ଏସ୍ଡିପିଓ ଏବଂ ଏକ ସ୍ୱତନ୍ତ୍ର ସାଇଣ୍ଟିଫିକ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ରକୁ ପୋଲିସ ଜବତ କରିବା ସହ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।