କେନ୍ଦ୍ରାପଡ଼ାରେ ଲୋମଟାଙ୍କୁରା ଘଟଣା: ଲୁଣା ନଦୀ ପଠାରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ । କୁଦାନଗରୀ ଥାନା ଅନ୍ତର୍ଗତ ମହାରକୁଳ ନିକଟସ୍ଥ ଲୁଣା ନଦୀ ବନ୍ଧରୁ ଶୁକ୍ରବାର ସକାଳେ ଜଣେ ମହିଳାଙ୍କ ମୁଣ୍ଡବିହୀନ ତଥା ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଏବଂ ଆତଙ୍କ ଖେଳିଯାଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ତାଙ୍କର ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ମୃତଦେହରୁ ମୁଣ୍ଡ ଗାଏବ ଥିବାରୁ ଏହା ଏକ ପୂର୍ବପ୍ରସ୍ତୁତ ନୃଶଂସ ହତ୍ୟାକାଣ୍ଡ ବୋଲି ଦୃଢ଼ ସନ୍ଦେହ କରାଯାଉଛି। କେହି ଦୁର୍ବୃତ୍ତ ତାଙ୍କର ମୁଣ୍ଡ କାଟି ହତ୍ୟା କରିବା ପରେ ମୃତଦେହକୁ ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।

ଘଟଣାସ୍ଥଳରେ ବହୁ ପରିମାଣର ରକ୍ତ ଜମି ରହିଥିବା ଦେଖିବାକୁ ମିଳିଛି। ଏଥିରୁ ଅନୁମାନ କରାଯାଉଛି ଯେ ସମ୍ପୃକ୍ତ ମହିଳାଙ୍କୁ ନଦୀ ବନ୍ଧ ନିକଟକୁ ଆଣି ସେହି ସ୍ଥାନରେ ହିଁ ଅତି ବର୍ବର ଭାବେ ବେକ କାଟି ହତ୍ୟା କରାଯାଇଛି।

ସ୍ଥାନୀୟ ଲୋକେ ଏହି ବିଭତ୍ସ ଦୃଶ୍ୟ ଦେଖିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ, ମୃତକଙ୍କ ପ୍ରକୃତ ପରିଚୟ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ପୋଲିସର ବିଧିବଦ୍ଧ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ।