ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୮ ବର୍ଷ ପରେ ଅନୁଷ୍ଠିତ ହୋଇଥିବା ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ରାଜ୍ୟର ୨୮୫ଟି କଲେଜ ଓ ବିଶ୍ୱବିଦ୍ୟାଳୟରେ କଡ଼ା ସୁରକ୍ଷା ଓ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ମୁଖ୍ୟତଃ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଏବଂ ବିଜୁ ଛାତ୍ର ଜନତା ଦଳ (BCJD) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।
ରାଜ୍ୟସ୍ତରୀୟ ତଥ୍ୟ ଅନୁଯାୟୀ, ଗୁରୁବାର ରାତି ୧୦ଟା ସୁଦ୍ଧା ରିପୋର୍ଟ ହୋଇଥିବା ୨୪୭ଟି ଡିଗ୍ରୀ କଲେଜରୁ ସମୁଦାୟ ୨,୬୦୨ ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧,୧୬୯ ଜଣ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ୬ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ମୋଟ ୬୬ ଜଣ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪ ଜଣ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ଅନୌପଚାରିକ ରିପୋର୍ଟ ଅନୁଯାୟୀ, ସଭାପତି ପଦବୀ ପାଇଁ ଏବିଭିପି ୧୪୨ଟି ସ୍ଥାନରେ ବିଜୟୀ ହୋଇଥିବା ବେଳେ ବିସିଜେଡି ୧୨୧ଟି ଏବଂ ଏନଏସୟୁଆଇ (NSUI) ୫ଟି କଲେଜରେ ସଭାପତି ପଦ ହାତେଇବାରେ ସଫଳ ହୋଇଛି।
ଶୁକ୍ରବାର ଭୋର ପର୍ଯ୍ୟନ୍ତ ଭୋଟ୍ ଗଣତି ପ୍ରକ୍ରିୟା ଜାରି ରହିଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର)ରେ ଏବିଭିପି ଏକ ଐତିହାସିକ ବିଜୟ ହାସଲ କରି ସଭାପତି ଏବଂ ସାଧାରଣ ସମ୍ପାଦକ ପଦ ଦଖଲ କରିଛି। ଏଠାରେ ବିସିଜେଡି ଖାତା ଖୋଲିବାରେ ବିଫଳ ହୋଇଛି। ଅନ୍ୟପକ୍ଷରେ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ରାତି ପ୍ରାୟ ୨:୩୫ ପର୍ଯ୍ୟନ୍ତ ଗଣତି ବିଳମ୍ବ ହୋଇଥିଲା ଏବଂ ଏଠାରେ ବିସିଜେଡି ଏକପାଖିଆ ବିଜୟ ହାସଲ କରିଛି। ଦଳର ପ୍ରାର୍ଥୀମାନେ ସଭାପତି, ଉପସଭାପତି ଏବଂ ସାଧାରଣ ସମ୍ପାଦକ ସମେତ ସମସ୍ତ ପ୍ରମୁଖ ପଦବୀ ହାତେଇଛନ୍ତି।
ଭୁବନେଶ୍ୱରର ବିଜେବି ସ୍ୱୟଂଶାସିତ କଲେଜ, ରାଜଧାନୀ କଲେଜ ଏବଂ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (GMU)ରେ ଏବିଭିପି ନିଜର ଦବଦବା ବଜାୟ ରଖିଛି। ସେହିପରି କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ ଏବଂ ବାଲେଶ୍ୱରର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଉଭୟ ଏବିଭିପି ଓ ବିସିଜେଡି ମଧ୍ୟରେ ମିଶ୍ରିତ ଫଳାଫଳ ଦେଖିବାକୁ ମିଳିଛି। ତେବେ ଶୈଳବାଳା ମହିଳା କଲେଜ, ଖଲ୍ଲିକୋଟ କଲେଜ ଏବଂ ନିମାପଡ଼ା କଲେଜରେ ସ୍ୱାଧୀନ ପ୍ରାର୍ଥୀମାନେ ବିଜୟ ମୁକୁଟ ପିନ୍ଧିଛନ୍ତି।
ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ କ୍ୟାମ୍ପସ ରାଜନୀତିର ପୁନରୁଦ୍ଧାର ଯୋଗୁଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି।