ଭୁବନେଶ୍ୱର: ଓଡ଼ିଶାର ଗ୍ରାହକମାନଙ୍କୁ ଏବେ କ୍ଷୀର ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ଲିମିଟେଡ୍ (ଓମ୍ଫେଡ୍) ପକ୍ଷରୁ କ୍ଷୀର ଦର ବୃଦ୍ଧି ନେଇ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୪ ତାରିଖରୁ ଏହି ନୂଆ ବର୍ଦ୍ଧିତ ଦର ଲାଗୁ ହେବ। ବିଭିନ୍ନ କାଟାଗୋରୀର କ୍ଷୀର ପ୍ୟାକେଟ୍ ଉପରେ ଏହି ଦର ବୃଦ୍ଧି କରାଯାଇଛି।
ଓମ୍ଫେଡ୍ ପକ୍ଷରୁ ଜାରି ହୋଇଥିବା ନୂତନ ତାଲିକା ଅନୁଯାୟୀ, ଓମ୍ଫେଡ୍ ଟୋନ୍ଡ୍ କ୍ଷୀର ଦର ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇଛି। ପୂର୍ବରୁ ଏହି କ୍ଷୀର ଲିଟର ପିଛା ୫୪ ଟଙ୍କା ଥିବାବେଳେ ଏବେ ଏହା ୫୮ ଟଙ୍କାରେ ବିକ୍ରି ହେବ। ସେହିପରି ଅଧ ଲିଟର ଟୋନ୍ଡ୍ କ୍ଷୀର ପ୍ୟାକେଟ୍ ପିଛା ଦର ମଧ୍ୟ ୨ ଟଙ୍କା ମହଙ୍ଗା ହୋଇଛି।
ଅନ୍ୟପକ୍ଷରେ, ପ୍ରିମିୟମ୍ କ୍ଷୀର ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ଏହାଦ୍ୱାରା ପ୍ରିମିୟମ୍ କ୍ଷୀର ଦର ଲିଟର ପିଛା ୫୮ ଟଙ୍କାରୁ ବୃଦ୍ଧି ପାଇ ୬୦ ଟଙ୍କା ହୋଇଛି ଏବଂ ଅଧ ଲିଟର ପ୍ୟାକେଟ୍ ଉପରେ ୧ ଟଙ୍କା ବଢ଼ିଛି। ସେହିପରି ଓମ୍ଫେଡ୍ ଗୋଲ୍ଡ ପ୍ଲସ୍ କ୍ଷୀର ଦରରେ ମଧ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ଘଟିଛି। ଗୋଲ୍ଡ ପ୍ଲସ୍ କ୍ଷୀର ଲିଟର ପ୍ରତି ୬୪ ଟଙ୍କା ବଦଳରେ ୬୬ ଟଙ୍କାରେ ଉପଲବ୍ଧ ହେବ। ଏହାର ଅଧ ଲିଟର ପ୍ୟାକେଟ୍ ମଧ୍ୟ ଗ୍ରାହକଙ୍କୁ ୧ ଟଙ୍କା ଅଧିକ ଦେଇ କିଣିବାକୁ ପଡ଼ିବ। ଆସନ୍ତା ଅକ୍ଟୋବର ୪ ତାରିଖରୁ ସମଗ୍ର ରାଜ୍ୟରେ ଏହି ନୂଆ ଦର କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି।