କେନ୍ଦୁଝର: ଭିଣୋଇକୁ ପିଟିପିଟି ମାରିଦେଲା ଶଳା । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ବୁରୁସାହି ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ନିଜ ଭିଣୋଇକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ବନମାଳୀ ମୁଣ୍ଡା।
ସୂଚନା ଅନୁଯାୟୀ, ବନମାଳୀ ମୁଣ୍ଡା ପ୍ରାୟତଃ ନିଜ ପତ୍ନୀ ଶୁକମତିଙ୍କୁ ମାରପିଟ୍ କରୁଥିଲେ। ଗତ ମଙ୍ଗଳବାର ଦିନ ସେ ପତ୍ନୀଙ୍କ ମୁଣ୍ଡକୁ ଏକ କୁରାଢ଼ୀରେ ହାଣି ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ। ଏହି ଘଟଣା ପରେ ଭୟଭୀତ ହୋଇ ଶୁକମତି ତାଙ୍କ ବାପଘର ଲୋକଙ୍କୁ ଖବର ଦେଇଥିଲେ ଏବଂ ସ୍ୱାମୀଙ୍କୁ ବୁଝାସୁଝା କରିବା ପାଇଁ ଡାକିଥିଲେ।
ଶୁକ୍ରବାର ସନ୍ଧ୍ୟାରେ ଶୁକମତିଙ୍କ ଭାଇ ଅଜୟ ତିରିଆ ଏବଂ ମାଆ ସରସ୍ୱତୀ ତିରିଆ ଝିଅ ଘରେ ପହଞ୍ଚିଥିଲେ। ସେଠାରେ ଭିଣୋଇ ବନମାଳୀଙ୍କୁ ବୁଝାଇବା ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଶଳା ଅଜୟ ନିଜ ଭିଣୋଇଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ବନମାଳୀଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ଅଭିଯୁକ୍ତ ଅଜୟ ସେଠାରୁ ଫେରାର ହୋଇଯାଇଥିଲେ।
ଖବର ପାଇବା ପରେ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏହି ହତ୍ୟାକାଣ୍ଡ ନେଇ ଏକ ମାମଲା ରୁଜୁ କରାଯିବା ସହ ଅଧିକ ତଦନ୍ତ ଆରମ୍ଭ ହୋଇଛି। ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।