ଭୁବନେଶ୍ୱର: ନୟାପଲ୍ଲୀ ଦୁଷ୍କର୍ମ ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର । ଏନକାଉଣ୍ଟରରେ ଆହତ ଅଭିଯୁକ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଭୁବନେଶ୍ୱରର ବହୁଚର୍ଚ୍ଚିତ ନୟାପଲ୍ଲୀ ଦୁଷ୍କର୍ମ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା । ଶନିବାର ଦିନ ଭୁବନେଶ୍ୱରର ଚନ୍ଦକା ଅଞ୍ଚଳରେ ହୋଇଥିବା ଏକ ପୋଲିସ ଏନକାଉଣ୍ଟରରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଆହତ ହୋଇଛି। ଆହତ ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ପୋଲିସ ହେପାଜତରୁ ଖସି ପଳାଇବାକୁ ଉଦ୍ୟମ କରିବା ସହ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଆତ୍ମରକ୍ଷା ଏବଂ ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୋଲିସ ପକ୍ଷରୁ ମଧ୍ୟ ପାଲଟା ୩ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଏହି ଗୁଳିବିନିମୟରେ ଅଭିଯୁକ୍ତ ଶ୍ରୀଧରର ଗୋଡ଼ରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଏହି ଜଘନ୍ୟ ଅପରାଧର ତଦନ୍ତ ପାଇଁ ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ୱାବଧାନରେ ପୋଲିସର ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତକାରୀ ଦଳ ସିସିଟିଭି (CCTV) ଫୁଟେଜ୍, ‘ଆମ ବସ’ (Ama Bus) ଲିଙ୍କ୍, ବୈଜ୍ଞାନିକ ପ୍ରମାଣ, ପୀଡ଼ିତାଙ୍କ ବୟାନ ଏବଂ ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ତଥ୍ୟକୁ ଆଧାର କରି ତଦନ୍ତକୁ ଜୋରଦାର କରିଥିଲେ। ସୂଚନାଯୋଗ୍ୟ ଯେ, ଗତ ବୁଧବାର ରାତିରେ ନୟାପଲ୍ଲୀ ଅଞ୍ଚଳରେ ଏହି ଦୁଷ୍କର୍ମ ଘଟଣା ଘଟିଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା।