ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ଆମ ଓଡ଼ିଶା By Lopa On Apr 4, 2025 Share ଦିନକୁ ଦିନ ଶ୍ରୀମନ୍ଦିରରେ ବଢ଼ିବାରେ ଲାଗିଛି ଭକ୍ତଙ୍କ ଭିଡ । ଭକ୍ତଙ୍କ ସଂଖ୍ୟାରେ ବୃଦ୍ଧି ସରକାର ଓ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି । ତେଣୁ ଆଗକୁ ଦର୍ଶନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣି ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ଯୋଗାଇଦେବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଖୁବ୍ ଶୀଘ୍ର ଶ୍ରୀମନ୍ଦିରରେ ନିୟୋଜିତ ହେବେ ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ । ଏନେଇ ପ୍ରଥମେ ବିଜ୍ଞପ୍ତି ଏବଂ ତା’ ପରେ ଆରମ୍ଭ ହୋଇଛି ଚୟନ ପ୍ରକ୍ରିୟା । ପ୍ରଥମ ଦିନରେ ୩୨୯ ପଦାଧିକାରୀ ଏଥିରେ ଯୋଗ ଦେଇଛନ୍ତି । ୫ ଟି ପର୍ଯ୍ୟାୟର ଚୟନ ଶିବିରରେ ଯୋଗ ଦେବେ ୧୭୨ ଅଫିସର୍, ୧୪୯୯ ସିପାହୀ ଏବଂ ହାବିଲଦାର । ଏସ ଏସ ଏମ ଭି ବା ସ୍ଵତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ନାଁରେ ସ୍ୱତନ୍ତ୍ର ଟିମ୍ ଶ୍ରୀମନ୍ଦିର ସୁରକ୍ଷା ଓ ଶୃଙ୍ଖଳା ଦାୟିତ୍ୱରେ ରହିବ । ବାଟାଲିୟନରେ ଅଭିଜ୍ଞତା ଥିବା ପୋଲିସଙ୍କୁ ୩ ବର୍ଷ ପାଇଁ ଡେପୁଟେଶନରେ ଅଣାଯିବ । ଶ୍ରୀ ମନ୍ଦିର ସୁରକ୍ଷା ଏବେ ହେବ ଆହୁରି ସଶକ୍ତ । ଶ୍ରୀମନ୍ଦିର ଆଗରେ ଦିନରାତି ପହରା ଦେବେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ । ଏବେ ବିଜ୍ଞପ୍ତି ଓ ଚୟନ ପ୍ରକ୍ରିୟା ପରେ ନୂଆ ଆଶାର ସଞ୍ଚାର ହୋଇଛି । ଆଣ୍ଟି ଟେରୋରିଷ୍ଟ ଅପରେସନ ସହ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ । ଶ୍ରୀଗୁଣ୍ଡିଚା ମନ୍ଦିର, ପରିକ୍ରମା ପ୍ରକଳ୍ପ, ମାଉସୀ ମା’ ମନ୍ଦିର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ ଏହି ସଶସ୍ତ୍ର ସୁରକ୍ଷା ବାହିନୀ । ୧୦୮୩ ଜଣଙ୍କୁ ନିଯୁକ୍ତି ଦେବାକୁ ପୂର୍ବରୁ ଯୋଜନା ହୋଇଥିଲେ ମଧ୍ୟ ଏବେ ଏହି ସଂଖ୍ୟା ୧୨୦୦ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି । ତେବେ ଏହି ସଶସ୍ତ୍ର ବାହିନୀ ଭକ୍ତଙ୍କ ସୁରକ୍ଷା ଓ ଦର୍ଶନ ଶୃଙ୍ଖଳା ଦାୟିତ୍ଵରେ ରହିବେ । ନୀତି ଅନୁଯାୟୀ ଦର୍ଶନ ଶୃଙ୍ଖଳା କରାଇବା, ବ୍ୟାରିକେଡିଂ ଭିତରେ ଲୋକଙ୍କୁ ବ୍ୟବସ୍ଥିତ କରାଇବା, ଉତ୍ତମ ଆଚରଣ ବ୍ୟବହାର ସହ ଲୋକଙ୍କ ଦର୍ଶନକୁ ସହଜ କରାଇବା । ଶୃଙ୍ଖଳିତ ଦର୍ଶନ ସହ ଲକ୍ଷ ଲକ୍ଷ ଭକ୍ତଙ୍କୁ ସୁରକ୍ଷା ଯୋଗାଇବା ରହିବ ଏମାନଙ୍କ ପ୍ରାଥମିକ ଦାୟିତ୍ଵ । ତେବେ ଭକ୍ତଙ୍କୁ ଏକ ଉତ୍ତମ ପରିବେଶ ବ୍ୟବସ୍ଥିତ ଦର୍ଶନ କରାଇବା ଭଳି ଏମାନଙ୍କୁ ପ୍ରଶିକ୍ଷଣ ଦିଆଯାଉ ବୋଲି ସାଧାରଣରେ ଦାବି ହୋଇଛି । ଆଚରଣ, ଉଚ୍ଚାରଣ ସହ ଶ୍ରୀମନ୍ଦିର ନୀତିକାନ୍ତି, ବ୍ୟବସ୍ଥା ,ପରମ୍ପରା ଉପରେ ଏମାନଙ୍କୁ ଜ୍ଞାନ ଦେବାପାଇଁ ମଧ୍ୟ ଦାବି କରିଛନ୍ତି ସେବାୟତ । ଏପରିକି ବିଭିନ୍ନ ସ୍ଥାନରେ ହେଲ୍ପ ଡେସ୍କ ରଖି ସଶସ୍ତ୍ର ସୁରକ୍ଷା ବାହିନୀକୁ ନିୟୋଜିତ କରିବା ସହ ଲୋକଙ୍କୁ ସେବା ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସେବାୟତ । ଆଗମୀ ରଥ ପୂର୍ବରୁ ଏହି ପ୍ରକ୍ରିୟା ଶେଷ ହେଲେ ଭିଡ଼ ନିୟନ୍ତ୍ରଣ ହେବା ସହ ଶୃଙ୍ଖଳାରେ ମହାଅପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ ।ସେହିପରି ଅନେକ ଥର ଶ୍ରୀ ମନ୍ଦିର ଭିତରେ ଭିଡ଼ିଓ କିମ୍ବା ଫୋଟୋ ଭାଇରାଲ ହେଉଥିବା ବେଳେ ସୁରକ୍ଷା କଡାକଡି ହେଲେ ଏହା ରୋକାଯାଇପାରିବ । ଏହା ସହ ଶ୍ରୀମନ୍ଦିର ସୁରକ୍ଷା ଆହୁରି ସୁଦୃଢ ହେବ ବୋଲି ମତ ପ୍ରକାଶ ପାଇଛି । odishaPuriSriMandir Share FacebookTwitterGoogle+ReddItWhatsAppPinterestEmail