ଏସବୁ ଅଭ୍ୟାସ ଥିଲେ ଆସିପାରେ ହୃଦଘାତ

ଦିନକୁ ଦିନ ବଢିଚାଲିଛି ହୃଦଘାତ ସମସ୍ୟା।ବର୍ତ୍ତମାନ ସମୟରେ ହୃଦଘାତ ଭଳି ସାଂଘାତିକ ରୋଗ ଯେକୌଣସି ବୟସର ଲୋକଙ୍କୁ ପ୍ରଭାବିତ କରୁଛି। ପୂର୍ବରୁ ବୃଦ୍ଧାବସ୍ଥାରେ କ୍ୱଚିତ ଦେଖା ଯାଉଥିବା ଏହି ରୋଗ ଏବେ କିଶୋରଠୁ ବୟସ୍କ ସମସ୍ତଙ୍କୁ ଗ୍ରାସ କରୁଛି। ଗତ କିଛି ବର୍ଷ ମଧ୍ୟରେ ଏହି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋଶାଲ ମିଡିଆରେ ମଧ୍ୟ ଏପରି ଅନେକ ଭିଡିଓ ଦେଖିଥିବେ, ଯେଉଁଥିରେ ନାଚୁଥିବା, ଗାଉଥିବା କିମ୍ବା କିଛି ଶାରୀରିକ କାର୍ଯ୍ୟକଳାପ କରୁଥିବା ସମୟରେ ହୃଦଘାତରେ ପ୍ରାଣ ହରାଉଛନ୍ତି। ସବୁଠୁ ବଡ଼ କଥା ହେଉଛି କି, ମୃତକମାନେ କିଶୋର କିମ୍ବା ଯୁବକ ଶ୍ରେଣୀର। ତେଣୁ ହୃଦଘାତକୁ ନେଇ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ବର୍ତ୍ତମାନ ସମୟରେ ହୃଦଘାତର ମୁଖ୍ୟ କାରଣ ପାଲଟିଛି ଜୀବନଶୈଳୀରେ ପରିବର୍ତ୍ତନ। ଆମ ଖାଦ୍ୟପେୟ ମଧ୍ୟ ହୃଦଘାତ କରିପାରେ। ଦୈନନ୍ଦିନ ଜୀବନରେ ଆମେ ଏପରି କେଉଁ ସବୁ ଖାଦ୍ୟ ଖାଉଛନ୍ତି, ଯାହା ହୃଦଘାତ କରିପାରେ, ଜାଣନ୍ତୁ…  

ବ୍ରେଡ୍ ଓ ପ୍ରକ୍ରିୟାକୃତ ଖାଦ୍ୟ-

ପ୍ରକ୍ରିୟାକୃତ ଖାଦ୍ୟ କେବଳ ମେଦବବହୁଳତା ସୃଷ୍ଟି କରେନି କି ପେଟ ରୋଗ କରେନି, ବରଂ ଏହା ହୃଦୟ ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଇପାରେ। ବର୍ଗର, ପିଜା ଏବଂ ଫାଷ୍ଟଫୁଡ୍ ଭଳି ପ୍ରକ୍ରିୟାକୃତ ଖାଦ୍ୟ ହୃଦୟ ସମସ୍ୟାର କାରଣ ହୋଇପାରେ। ତେଣୁ ଏସବୁ ଖାଦ୍ୟଠୁ ଦୂରେଇ ରୁହନ୍ତୁ।  

ଧୂମପାନ-
ହୃଦଘାତରୁ ରକ୍ଷା ପାଇବାକୁ ହେଲେ ପ୍ରଥମେ ଧୂମପାନ ଅଭ୍ୟାସକୁ ଦୂର କରିବାକୁ ପଡ଼ିବ। କାରଣ ଧୂମପାନ ଆମ ଫୁସଫୁସକୁ ପ୍ରଭାବିତ କରିଥାଏ, ଯାହା ଫଳରେ ଫୁସଫୁସ ଅବରୋଧର ସମସ୍ୟା ବଢିଯାଏ। ଏହି କାରଣରୁ ମୁଖ୍ୟତଃ ଷ୍ଟ୍ରୋକ୍ ହୋଇଥାଏ।

ମଦ୍ୟପାନ–
ମଦ୍ୟପାନ ଧମନୀ ଉପରେ ଚାପ ପକାଇଥାଏ। ଯେଉଁଥିପାଇଁ ରକ୍ତଚାପ ଏବଂ ରକ୍ତରେ ଶର୍କରା ବୃଦ୍ଧି ପାଇବାର ଆଶଙ୍କାଥାଏ। ରକ୍ତଚାପ ବୃଦ୍ଧି ହୃଦଘାତର ଅନ୍ୟ ଏକ ମୁଖ୍ୟ କାରଣ। 

ମୃଦୁ ପାନୀୟ (କୋଲ୍ଡ ଡ୍ରିଙ୍କ୍ସ)-
ଗ୍ରୀଷ୍ମଋତୁରେ ଅଧିକାଂଶ ଲୋକ ମାତ୍ରାଧିକ କୋଲ୍ଡ ଡ୍ରିଙ୍କ୍ସ ପିଅନ୍ତି। ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଅତ୍ୟଧିକ କୋଲ୍ଡ ଡ୍ରିଙ୍କ୍ସ ପିଇବା ଦ୍ୱାରା ଧମନୀ ଉପରେ ଚାପ ପଡ଼ିଥାଏ। ଧମନୀ ଉପରେ ଚାପ ପଡ଼ିବା ଫଳରେ ହୃଦଘାତ ଆସିପାରେ। 

ହୃଦଘାତର ଆଶଙ୍କା ହ୍ରାସ କରିବାର ଉପାୟ

  • ସ୍ୱାସ୍ଥ୍ୟ ପାଇଁ ଦୈନିକ ଅତି କମରେ 30 ମିନିଟ୍ ବ୍ୟାୟାମ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

  • ଫଳ, ସବୁଜ ପନିପରିବା, ଶସ୍ୟଜାତୀୟ ଖାଦ୍ୟ ପରି ସୁସ୍ଥ ଖାଦ୍ୟରେ ସେବନ କରନ୍ତୁ।

  • ଧୂମପାନ, ମଦ୍ୟପାନ ଏବଂ ସିଗାରେଟଠୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରୁହନ୍ତୁ।

  • ଯୋଗ, ଧ୍ୟାନ କିମ୍ବା କୌଣସି ଶାରୀରିକ କାର୍ଯ୍ୟକଳାପ କରନ୍ତୁ, ଯାହା ଦ୍ୱାରା ଚାପ ହ୍ରାସ ପାଇପାରିବ।

  • ପ୍ରତିଦିନ ୭-୮ ଘଣ୍ଟା ପର୍ଯ୍ୟାପ୍ତ ଶୋଇବା ଅଭ୍ୟାସ ରଖନ୍ତୁ। 

  • ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ଉଚ୍ଚ କୋଲେଷ୍ଟ୍ରଲ ପରି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ନିୟମିତ ଯାଞ୍ଚ କରାଇନିଅନ୍ତୁ।